ଭୁବନେଶ୍ୱର, ୭/୧୨: ରାଜ୍ୟରେ ହୁ ହୁ ବୃଦ୍ଧିପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରସଙ୍ଗରେ ଆଜି ଛାତ୍ର କଂଗ୍ରେସ ଅଭିନବ ପ୍ରତିବାଦ କରିଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଦିବା ୧୧.୩୦ ମିନିଟ୍ ସମୟରେ କଂଗ୍ରେସ ଭବନ ଠାରୁ ମହାତ୍ମା ଗାନ୍ଧୀ ମାର୍ଗ ଦେଇ ଲୋକସେବା ଭବନ ଆଡ଼କୁ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟି ତାତ୍ସଲ୍ୟଭରା ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଯିବାବେଳେ ପୋଲିସ୍ ଗିରଫ କରିଛି। ଛାତ୍ରନେତା ମାନଙ୍କୁ ଲୋୟର ପିଏମ୍ଜିରୁ ଗିରଫ କରାଯାଇଥିଲା । ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟରେ କ୍ଷୋଭ ଓ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ଦୁଃଭାଗ୍ୟଜନକ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରିତମ ଦାସ ଦୃଢ଼ ଆରୋପ ଓ ପ୍ରତିବାଦ କରିଛନ୍ତି । ସୂର୍ଯ୍ୟକାନ୍ତ ବାରିକ, ବିଶ୍ୱଜିତ୍ ଲେଙ୍କା, ସମ୍ଭବ ପଟ୍ଟନାୟକ ଓ ସଦାବ ଅହମ୍ମଦ ପ୍ରମୁଖ ଛାତ୍ର ନେତାମାନଙ୍କୁ ପୋଲିସ୍ ଗିରଫ କରି ପରେ ଛାଡ଼ିଦେଇଥିଲା। (ଏଜେନ୍ସି)