
ଭୁବନେଶ୍ବର/ଯୋଧପୁର,07/12: ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାରଣ ଶନିବାର ଦିନ ଯୋଧପୁରରେ ଯେପରି ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟ ଭାଙ୍ଗି ଜଣେ ପଶି ଆସିଲା ସେଥିପାଇଁ ଓଡ଼ିଶାରେ ସବୁଆଡୁ ତୀକ୍ଷ୍ମ ନଜର ରଖାଯାଇଛି। ଓଡିଶା ଆସିବା ପୂର୍ବରୁ ରାମନାଥ କୋବିନ୍ଦ ଯୋଧପୁର ଗସ୍ତରେ ଯାଇଥିଲେ। ସେ ଯୋଧପୁରର ସର୍କିଟ ହାଉସରେ ସକାଳ ଜଳଖିଆ କରୁଥିବା ବେଳେ ହଠାତ ଜଣେ ଲୋକ ସୁରକ୍ଷା ବଳୟ ଭାଙ୍ଗି ଭିତରକୁ ପଶି ଆସିଲା। ସେ ଦୈଡି ଦୈଡି ରାଷ୍ଟ୍ରପତିଙ୍କ ପାଦ ଛୁଇଁକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା ପୋଲିସ ତାଙ୍କୁ ଧରି ବାହାରକୁ ଭିଡି ନେଇ ଯାଇଥିଲେ।
ଏହି ଘଟଣା ଜଣାପଡିବା ପରେ ସେଠାରେ ଥିବା ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ତୁରନ୍ତ 6 ଜଣ ସୁରକ୍ଷା ଅଧିକାରୀଙ୍କୁ ନିଳମ୍ବିତ କରିଛନ୍ତି। ପୋଲିସ ତରଫରୁ କୁହାଯାଇଛି ଯେ, ସେହି ଲୋକର ନାମ ହେଉଛି ଦୀନେଶ ଚାନ୍ଦ ଏବଂ ତାଙ୍କ ଘର ଆଜମିର ଜିଲ୍ଲାରେ। ସେ କିଛିଦିନ ହେଲା ମାନସିକ ରୋଗରେ ପିଡିତ ଅଛନ୍ତି। ସକାଳୁ ସେ ସର୍କିଟ ହାଉସର ପାଚେରୀ ଡେଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଚେଷ୍ଠା କରିଥିଲା। ସେହି ସମୟରେ ସର୍କିଟ ହାଉସରେ ରାଷ୍ଟ୍ରପତିଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ମଧ୍ୟ ଥିଲେ। ଲୋକଟିକୁ ଅଟକ ରଖାଯାଇ ଅଧିକ ପଚରାଉଚୁରା କରାଯାଉଛି ବୋଲି ପୋଲିସ କହିଛି।
ଏହି ଖବର ପରେ ଓଡିଶାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ କଡାକଡି କରାଯାଇଥିବାର ଜଣାପଡିଛି। କାରଣ ରାଷ୍ଟ୍ରପତି ଓଡିଶାରେ ଦୁଇଟି ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ପୋଲିସ ତରଫରୁ ରାଷ୍ଟ୍ରପତିଙ୍କ ଗସ୍ତକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖିଛନ୍ତି। (ଆଇଏଏନସ ତଥ୍ୟ)