ଉତ୍ତରପ୍ରଦେଶ, ୮/୧୨: ଉତ୍ତରପ୍ରଦେଶରେ ଉନ୍ନାଓ ଘଟଣାର ନିଆଁ ନ ଲିଭିଣୁ ଆଉ ଏକ କୁତ୍ସିତ ଘଟଣା ସାମ୍ନାକୁ ଆସିଛି । ଗତକାଲି ଉନ୍ନାଓ ପୀଡ଼ିତା ମୃତ୍ୟୁବରଣ କରିଥିବାବେଳେ ମୁଜାଫରନଗର ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ ହୋଇଛି । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଆଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ ।
ପୋଲିସ କହିଛି ଯେ, ମହିଳାଙ୍କ ଶରୀର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶାହପୁର ଥାନା ଅଧିକାରୀ ଗିରିଜା ଶଙ୍କର ତ୍ରିପାଠୀ କହିଛନ୍ତି, ବୁଧବାର ରାତି ୪ ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିଥିଲେ । ଏହା ପରେ ସେମାନେ ମହିଳାଙ୍କୁ କୋର୍ଟରୁ ମାମଲା ଫେରାଇ ଆଣିବାକୁ କହିଥିଲେ । ମାତ୍ର ମହିଳା ଜଣକ ଏଥିରେ ରାଜି ନ ହେବାରୁ ଏସିଡ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏସିଡ୍ ମାଡ଼ କରିଥିବା ଯୁବକଙ୍କ ପରିିଚୟ ମିଳିସାରିଥିବାବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । (ଏଜେନ୍ସି)