ଉତ୍ତରପ୍ରଦେଶ, ୮/୧୨: ଶୁକ୍ରବାର ଦିନ ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯିବା ସହ ଏହି ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର କରାଯିବ ବୋଲି ଯୋଗୀ ସରକାର କହିଛନ୍ତି । ଉନ୍ନାଓ ପୀଡ଼ିତାଙ୍କ ସମସ୍ତ ଦାବିକୁ ପୂରଣ କରାଯିବ ବୋଲି କଥା ଦେଇଛନ୍ତି ଉତ୍ତରପ୍ରଦେଶ ପ୍ରଶାସନ । ଆର୍ମ ଆକ୍ଟ ଅନୁଯାୟୀ ତାଙ୍କ ଭାଇଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ସହ ତାଙ୍କ ଭଉଣୀଙ୍କୁ ଆଜିଠାରୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ। ଏହାସହ ପୀଡିତାଙ୍କ ପରିବାର ବଡ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଟି ଘର ମଧ୍ୟ ଯୋଗାଇ ଦିଆଯିବ। ପ୍ରଶାସନ ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯିବା ପରେ ପୀଡିତାଙ୍କ ମୃତଦେହକୁ ସଂସ୍କାର କରାଯାଇଛି। ପୀଡ଼ିତାଙ୍କ ପ୍ରତି ନ୍ୟାୟ ଦାବି କରି ତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଆସିଲେ ଯାଇ ପୀଡ଼ିତାଙ୍କ ମୃତଦେହ ସଂସ୍କାର କରିବାକୁ ନେଇ ତାଙ୍କ ପରିବାର ଅଡି ବସିଥିଲେ । ତେବେ ପ୍ରଶାସନର ପ୍ରତିଶ୍ରୁତି ପରେ ପୀଡ଼ିତାଙ୍କ ପରିବାର ତାଙ୍କର ସଂସ୍କାର କରିଥିଲେ। (ଏଜେନ୍ସି)