ନୂଆଦିଲ୍ଲୀ,9/12: ଦକ୍ଷିଣ ଆଫ୍ରିକାର ଜୋଜିବିନି ଟୁଞ୍ଜି ବ୍ରହ୍ମାଣ୍ଡ ସୁନ୍ଦରୀ-2019 ଟାଇଟଲ୍ ହାସଲ କରିଛନ୍ତି । ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ 90 ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାସଲ କରିଛନ୍ତି ଟୁଞ୍ଜି । ମେକ୍ସିକୋ, ପୁଏର୍ଟାରିକୋ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ଫାଇନାଲ୍ରେ ପ୍ରବେଶ କରିଥିଲେ । ନେତୃତ୍ବ ଉପରେ ନିଜର ବକ୍ତବ୍ୟ ପାଇଁ ଟୁଞ୍ଜିଙ୍କୁ ବିଜେତା ଘୋଷଣା କରାଯାଇଥିଲା । 2018ର ବ୍ରହ୍ମାଣ୍ଡ ସୁନ୍ଦରୀ ଫିଲିପାଇନ୍ସ କାର୍ଟିଓନା ଗ୍ରେ ଟୁଞ୍ଜିଙ୍କୁ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ ।
ଅନ୍ତିମ ଚରଣର ପ୍ରଶ୍ନ ରହିଥିଲା ଆଜିର ସମୟରେ ବାଳିକାଙ୍କୁ କଣ ଶିଖାଯିବା ଆବଶ୍ୟକ? ଏହାର ଉତ୍ତରରେ ଟୁଞ୍ଜି କହିଥିଲେ, ନେତୃତ୍ବ ନେବା ସବୁଠାରୁ ଉତ୍ତମ ଜିନିଷ । ମହିଳା ଯୁବବର୍ଗଙ୍କୁ ନେତୃତ୍ବ ନେବାର ଶୈଳୀ ଶିଖାଇବା ସବୁଠାରୁ ମୁଖ୍ୟ ଜିନିଷ । ମହିଳା ମାନଙ୍କ ନିକଟରେ ନେତୃତ୍ବ ନେବାର ଦକ୍ଷତା ରହିଛି ମାତ୍ର ସମାଜ ମହିଳାଙ୍କୁ ଅଲଗା ନଜରରେ ଦେଖୁଥିବାରୁ ଏହା ସମ୍ଭବ ହୋଇପାରୁନାହିଁ । ତେଣୁ ଯୁବବର୍ଗଙ୍କୁ ନେତୃତ୍ବ ନେବାର ଶୈଳୀ ଶିଖାଯିବା ଜରୁରୀ ବୋଲି ଟୁଞ୍ଜି ପ୍ରକାଶ କରିଥିଲେ । ଏପରିକି ପ୍ରତିଯୋଗିତାର ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସୋସିଆଲ ପ୍ଲାଟଫର୍ମରେ ଟୁଞ୍ଜିଙ୍କୁ ପ୍ରଶଂସା କରାଯାଇଥିଲା । ଶ୍ରେଷ୍ଠ ଜାତୀୟ ପୋଷାକ ବର୍ଗରେ ମାଲେସିଆର ଶ୍ବେତା ଶିଖୋନଙ୍କୁ ଏବଂ ସଦ୍ଭାବନା ବର୍ଗରେ ପୋଲାଣ୍ଡର ଓଲ୍ଗା ବୁଲଓ୍ବାଙ୍କୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ପ୍ରତିଯୋଗୀ ବର୍ତ୍ତିକା ସିଂ ଶ୍ରେଷ୍ଠ 20 ପର୍ଯ୍ୟାୟରୁ ଆଗକୁ ବଢିପାରିନଥିଲେ । (ଏଜେନ୍ସୀ)