ଆସନ୍ତାକାଲି ରାଜ୍ୟସଭାରେ ଆଗତ ହେବ ନାଗରିକତ୍ବ ସଂଶୋଧନ ବିଲ୍‌ : ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଆଞ୍ଚଳିକ ଦଳ

Published: Dec 10, 2019, 1:39 pm IST

ନୂଆଦିଲ୍ଲୀ,10/12 : ଗତକାଲି ଲୋକସଭାରେ ପାରିତ ହେବା ପରେ ଆସନ୍ତା କାଲି ରାଜ୍ୟସଭାରେ ଆଗତ ହେବାକୁ ଯାଉଛି ନାଗରିକତ୍ବ ସଂଶୋଧନ ବିଲ୍‌ । ସଂସଦର ନିମ୍ନ ସଦନରେ ବିରୋଧୀ ଦଳଙ୍କ ହୋହଲ୍ଲା ସତ୍ତ୍ବେ 311-80 ବ୍ୟବଧାନରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏହା କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ଲୋକସଭାରେ ବିଜେପିର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ରାଜ୍ୟସଭାରେ ବିଜେପିର 83 ସାଂସଦ ରହିଛନ୍ତି । ସହଯୋଗୀ ଦଳ ମାନଙ୍କ ମଧ୍ୟରେ ଜେଡିୟୁ(6), ଶିରୋମଣୀ ଅକାଳୀ ଦଳ(1), ଏଲ୍‌ଜେପି(1), ଆରପିଆଇ(1) ନିକଟରେ 9 ଆସନ ରହିଛି । ଏହା ସହିତ 11 ଜଣ ମନୋନୀତ ସାଂସଦଙ୍କ ସମର୍ଥନ ବିଜେପି ନିକଟରେ ରହିଛି । ବିଲ୍‌କୁ ପାରିତ କରିବା ପାଇଁ 120 ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ରହିଥିବା ବେଳେ ଏଆଇଡିଏମକେ, ବିଜେଡି, ଓ୍ବାଇଏସଆର କଂଗ୍ରେସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ । ଅବଶ୍ୟ ଲୋକସଭାରେ ବିଜେଡି ଏବଂ ଓ୍ବାଇଏସ୍‌ଆର କଂଗ୍ରେସ ବିଲ୍‌ ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ଏଆଇଡିଏମ୍‌କେ ନିକଟରେ 11 ସାଂସଦଙ୍କ ସମର୍ଥନ ରହିଥିବାରୁ ଏହି ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । (ଏଜେନ୍ସୀ)

Related posts