ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ବହୁ ବର୍ଷ ଧରି ବିଧାୟକମାନଙ୍କୁ ସେବା ଯୋଗାଇ ଦେଇ ଆସୁଥିବା କ୍ବାଟରଗୁଡିକ ଭଙ୍ଗାଯିବ। ସେହି ସ୍ଥାନରେ ନିର୍ମାଣ ହେବା ବିଳାସ ପୂର୍ଣ୍ଣ 10 ମହଲା ବିଶିଷ୍ଠ ପ୍ରାସାଦ ବା ଆପର୍ଟମେଣ୍ଟ। ଏ ନେଇ ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗର ସଚିବ କିଷନ କୁମାରଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଏହି ବହୁତଳ ପ୍ରାସାଦର ରୂପରେଖ ଉପରେ ଆଲୋଚନା କରିଥିଲେ। ଏହି ନୂତନ ପ୍ରସାଦରେ ବିଧାୟକମାନଙ୍କ ପାଇଁ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରଖାଯିବ। ପ୍ରାସାଦ ଭିତରେ ସୁଇମିଂ ପୁଲ, ସପିଂ ମଲ, ଜିମ, ମଲଟି ପାର୍କିଂ ବ୍ୟବସ୍ଥା କରାଯିବ। ପିଲାମାନଙ୍କ ଖେଳିବା ଏବଂ ମର୍ଣ୍ଣି ୱାର୍କ କରିବା ପାଇଁ ସେହି ଭିତରେ ପର୍ଯ୍ୟାପ୍ତ ଖାଲି ସ୍ଥାନ ରଖାଯିବ ବୋଲି ନିଷ୍ପତି କରାଯାଇଛି। ଏଥିସହିତ 24 ଘଣ୍ଟିଆ ବିଦ୍ୟୁତ ସେବା ସହିତ ପାୱାର ବ୍ୟାକଅପ୍ ମଧ୍ୟ କରାଯିବ। ଝଡବାତ୍ୟା ସମୟରେ ବିଦ୍ୟୁତ କଟିଗଲେ ମଧ୍ୟ ସେହି ପ୍ରାସାଦରେ ପାୱାର ବ୍ୟାକଅପ ମଧ୍ୟମରେ ବିଦ୍ୟୁତ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ପ୍ରଥମେ ବିଧାନସଭା ସମ୍ମୁଖରେ ଥିବା 42 ଟି କ୍ବାଟରରୁ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯିବ। ତେବେ ଏଥି ମଧ୍ୟରୁ 24 ଜଣ ବିଧାୟକ ଏ ପର୍ଯ୍ୟନ୍ତ ଯାଇ ନ ଥିବାରୁ ତାଙ୍କୁ ଶିଘ୍ର କ୍ବାଟର ଖାଲି କରିବାକୁ କୁହାଯାଇଛି। ସେହି ସ୍ଥାନ ନିକଟରେ ପୋଲିସ କମିସନରେଟ, କୃଷି ଭବନ, ରାଜ୍ୟ ଅତିଥି ଭବନର ରୂପରେଖ ପରି ଏହି ବିଧାୟକ ପ୍ରାସାଦକୁ ମଧ୍ୟ ବେଶ୍ ଆକର୍ଷଣୀୟ କରାଯିବ ବୋଲି ନିଷ୍ପତି କରାଯାଇଛି।