ମୁମ୍ବାଇ, ୧୨/୧୨: ଅଭିନେତା ରଜନୀକାନ୍ତ ଆଜି ୬୯ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୯୫୦ ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ରଜନୀକାନ୍ତଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକ୍ବାଡ। ପ୍ରାରମ୍ଭିକ ଜୀବନରେ ସହକଳାକାର ରୂପେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲିଜେଣ୍ଡାରୀ ଆକ୍ଟରର ମାନ୍ୟତା ପାଇଛନ୍ତି । କେବଳ ତାମିଲ୍ ସିନେମାର ମହାନାୟକ ଭାବରେ ନୁହଁନ୍ତି ବରଂ ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ବେଶ୍ ପରିଚିତ ରଜୀନକାନ୍ତ। ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତାଙ୍କର ପ୍ରମୁଖ କାରଣ ଅଟେ। ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା ।
ତାମିଲ ଚଳଚ୍ଚିତ୍ର “ଶିବାଜୀ” ପାଇଁ ସେ୨୬ କୋଟି ଟଙ୍କାର ପାରିଶ୍ରମିକ ନେଇଥିଲେ। ଏହା ପରେ ସେ ଜାକି ଚାନଙ୍କ ପରେ ଏସିଆର ସବୁଠାରୁ ଅଧିକ ଦାମୀ ଅଭିନେତା ରୂପେ ପରିଗଣିତ ହୋଇଛନ୍ତି । କେବଳ ଦକ୍ଷିଣ ଭାରତୀୟ ଭାଷାରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ବେଶ୍ ଦକ୍ଷତା ପ୍ରତିପାଦିତ କରିଛନ୍ତି ରଜନୀକାନ୍ତ। ନିକଟରେ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଇଫି)ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ପେଶାଲ୍ ଆଇକନ୍ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ରଜନୀକାନ୍ତ। ଗତ ଅନେକ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ପ୍ରତି ରଜନୀକାନ୍ତଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଫିଲ୍ମ ଜଗତରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଏହି ଅଭିନେତା ଜଣକ। ପରିବାରକୁ ବିଶେଷ ପ୍ରାଧାନ୍ୟ ଦେଉଥିବା ରଜନୀକାନ୍ତଙ୍କ ଦକ୍ଷିଣ ଭାରତୀୟ ଆଇଟମ୍ ଗାର୍ଲ ସିଲ୍କ ସ୍ମିଥାଙ୍କ ସହ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚିତ ରହିଥିଲେ। ତେବେ ଐଶ୍ବର୍ଯ୍ୟା ଓ ସୌନ୍ଦର୍ଯ୍ୟା ନାରେ ଦୁଇଟି ଝିଅ ରହିଛନ୍ତି। ଐଶ୍ବର୍ଯ୍ୟା ଦକ୍ଷିଣ ଭାରତୀୟ ଅଭିନେତା ଧନୁଷ୍ଙ୍କୁ ବିବାହ କରିଛନ୍ତି। (ଏଜେନ୍ସି)