
ନୂଆଦିଲ୍ଲୀ, ୧୩/୧୨: ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବୀ ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା କଥା ଆଲୋଚନା ହେଉଥିବା ବେଳେ ଶୁକ୍ରବାର ଉକ୍ତ କୋର୍ଟରେ ଏମାନଙ୍କ ଡେଥ୍ ଓ୍ବାରେଣ୍ଟକୁ ନେଇ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ କହିଥିଲେ ଉକ୍ତ ମାମଲାର ଜଣେ ଦୋଷୀଙ୍କ ପୁନର୍ବିଚାର ଆବେଦନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି। ଏହାପରେ ଯାଇ ମାମଲାର ଶୁଣାଣି କରାଯିବ। ଏହି ମାମଲାର ଚାରି ଦୋଷୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ ଉପରେ ଆସନ୍ତା ୧୭ ତାରିଖରେ ତିନି ସଦ୍ୟସୀୟ ବିଚାରକ ମଣ୍ଡଳୀ ଶୁଣାଣି କରିବେ। ଏହି ଶୁଣାଣି ପରେ ଯାଇ ଏହି ମାମଲାର ବିଚାର ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଏହି ମାମଲାର ଶୁଣାଣିକୁ ମୁଲତବୀ ରଖାଯିବା ପରେ ନିର୍ଭୟାଙ୍କ ମା’ କହିଛନ୍ତି ଯେ, ଦୀର୍ଘ ୭ ବର୍ଷ ହେବ ସେ ଫାଶୀ ଦଣ୍ଡକୁ ଅପେକ୍ଷା ରଖିଛନ୍ତି ଆଉ ଶେଷରେ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ। ଅକ୍ଷୟଙ୍କ ପୁନର୍ବିଚାର ଯାଚିକା ଖାରଜ ହେବ ବୋଲି କହିବା ସହିତ ଆସନ୍ତା ୧୮ ତାରିଖରେ ଦୋଷୀଙ୍କ ଦଣ୍ଡ ମିଳିବ ବୋଲି କହିଛନ୍ତି ନିର୍ଭୟାଙ୍କ ମା’ । (ଏଜେନ୍ସି)