ବାଲୁଗାଁ ବିଜେପି ତରଫରୁ ସେସୁକୁ ସ୍ମାରକ ପତ୍ର ପ୍ରଦାନ, ବକୈୟା ବିଲ୍‌ ପୈଠ ନିଷ୍ପତ୍ତିକୁ ଦୃଢ ବିରୋଧ

Published: Jan 13, 2020, 6:26 pm IST

ସମୀକ୍ଷା ବ୍ୟୁରୋ

ବାଲୁଗାଁ : ବାଲୁଗାଁ ବିଜେପି ତରଫରୁ ସେସୁକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଗତ କିଛିଦିନତଳେ ସେସୁ ତରଫରୁ ବକୈୟା ବିଲକୁ ନେଇ ଏକ ବିଜ୍ଞାପନ ଉଭୟ ପ୍ରିଣ୍ଟ ଓ ଇଲୋକୋଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁସାରେ ଆସନ୍ତା 15 ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା।

ସେସୁର ଏପରି ନିଷ୍ପତ୍ତିକୁ ବାଲୁଗାଁର ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିଛି। ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ସେନାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏଭଳି ଏକ ଜନବିରୋଧୀ ଘୋଷଣାକୁ ବିରୋଧ କରିବା ସହିତ ସେସୁର କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକ ପତ୍ର ପଠାଇଛି। ଆଗାମୀ ସମୟରେ ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଆସୁଥିବାରୁ ସେସୁ ତରଫରୁ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ଅନସ୍ବୀକାର୍ଯ୍ୟ ବୋଲି କହିଛି ବାଲୁଗାଁ ନଗରମଣ୍ଡଳ। ଏହି ନିଷ୍ପତ୍ତିକୁ ପ୍ରତ୍ୟାଖାନ କରିବା ସହିତ କିସ୍ତି ଜରିଆରେ ବକେୟା ବିଦ୍ୟୁତ ବିଲ୍‌ ପୈଠ କରାଯିବାକୁ ଦାବି କରିଛି ବିଜେପି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଧମକପୂର୍ଣ୍ଣ ଘୋଷଣା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏହି ନିଷ୍ପତ୍ତିରେ ପୁନଃବିଚାର କରିବାକୁ ବିଜେପି ଦାବି କରିଛି। ଯଦି ଏହା ଉପରେ କିଛି ପଦକ୍ଷେପ ନିଆନଯାଏ, ତେବେ  ଆଗାମୀ ସମୟରେ ଭୟଙ୍କର ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Related posts