
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ୱର ଜନତା ମଇଦାନରେ ଆଜିଠୁ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା ୨୦୨୦’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କୃଷି ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଫିକିର ସହଯୋଗରେ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଫିକିର ସାଧାରଣ ସମ୍ପାଦକ ଦିଲୀପ କୁମାର ଚିନୋୟ ପ୍ରମୁଖ ଯୋଗ ଦେଇଥିଲେ।
ଚାଷୀ ଦେଶର ଶକ୍ତି, ଅର୍ଥନୀତିର ଶକ୍ତି। ଦେଶର ଗୌରବ ବୃଦ୍ଧି କରିଥାଏ ଚାଷୀ। କୃଷି ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରିବା ସହ କାଳିଆ ଯୋଜନା ଚାଷୀମାନଙ୍କ ସମ୍ମାନ ବୃଦ୍ଧି କରିଛି। ନୂଆ କୃଷି ନୀତି ଜରିଆରେ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରିବା ଆମର ଲକ୍ଷ୍ୟ। ଓଡିଶାର ଚାଷୀ ନୂଆ ନୂଆ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ରାଜ୍ୟର ଚାଷୀ ବିକାଶର ସାରଥୀ ହୁଅନ୍ତୁ ବୋଲି କୃଷି ଓଡିଶା ୨୦୨୦ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଜନତା ମଇଦାନରେ 5 ଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୨୮ଟି ଷ୍ଟଲ ରହିବ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ୧୧୨ଟି କମ୍ପାନୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀଙ୍କୁ ନେଇ ପ୍ରତ୍ୟେକ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏହି ଅବସରରେ ସଫଳ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଶହଜାର ଟଙ୍କା ଏବଂ ଉପଢୌକନ ସହିତ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।