ଆନୁଆଲ ଡେମୋକ୍ରାସୀ ଇଣ୍ଡେକ୍ସରେ 10ଟି ସ୍ଥାନ ତଳକୁ ଖସିଲା ଭାରତ

Published: Jan 22, 2020, 4:53 pm IST

ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଭାବ ବାର୍ଷିକ ଗଣତନ୍ତ୍ର ସୂଚକାଙ୍କ ଉପରେ ପଡିଛି । ଏହି ତାଲିକାରେ ଭାରତ 10ଟି ସ୍ଥାନ ତଳକୁ ଖସି 51 ତମ ସ୍ଥାନରେ ପହଞ୍ଚିଛି । 2018ରେ ପ୍ରକାଶିତ ତାଲିକାରେ ଭାରତର ସ୍କୋର 10ରୁ 7.23 ରହିଥିବା ବେଳେ 2019ରେ ଏହା 6.90କୁ ଖସି ଆସିଛି । 2006ରୁ ଏହି ତାଲିକା ପ୍ରକାଶିତ ହେଉଥିବା ବେଳେ ଏହା ଭାରତର ନିକୃଷ୍ଟତମ ପ୍ରଦର୍ଶନ । ଭାରତ 2017ରେ 42 ତମ ସ୍ଥାନରେ ରହିଥିବା ବେଳେ 2018ରେ ଗୋଟିଏ ସ୍ଥାନ ଉପରକୁ ଉଠି 41 ତମ ସ୍ଥାନରେ ରହିଥିଲା । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଧାରା 370 ଉଚ୍ଛେଦ, ସିଏଏ ଏବଂ ଆସାମରେ ଏନ୍‌ଆରସି ବୋଲି ବ୍ଲୁମ୍‌ବର୍ଗ ପକ୍ଷରୁ କୁହାଯାଇଛି । ଧାରା 370 ଉଚ୍ଛେଦ ସମୟରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ, ସଂଖ୍ୟାଧିକ ଫୋର୍ସ ମୁତୟନ ଏବଂ ଆସାମରେ ଏନ୍‌ଆରସି ଲାଗୁ କରିବା ଦ୍ବାରା ଦେଶରେ ଗଣତନ୍ତ୍ରର କଣ୍ଠରୋଧ କରାଯାଇଥିବାରୁ ଭାରତର ମାନ୍ୟତାରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ସିଏଏକୁ ଦେଶର ସଂଖ୍ୟାଧିକ ମୁସ୍‌ଲିମ୍‌ଙ୍କ ପକ୍ଷରୁ ବିରୋଧ କରାଯାଉଥିବାରୁ ମଧ୍ୟ ଏହି ହ୍ରାସ ଘଟିଥିବା ଜଣାପଡିଛି ।

ସେହିପରି ସମଗ୍ର ବିଶ୍ବରେ ଗଣତାନ୍ତ୍ରିକ ମୂଲ୍ୟବୋଧରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । 2018ରେ ଏହାର ହାରାହାରି 5.44 ରହିଥିବା ବେଳେ ଚଳିତ ବର୍ଷର ସୂଚକାଙ୍କରେ ଏହା 5.48 ରହିଛି । 2006 ପରଠାରୁ ଏହା ସର୍ବନିମ୍ନ ସ୍ତରରେ ରହିଛି । ନରଓ୍ବେ, ଆଇସଲ୍ୟାଣ୍ଡ, ସ୍ବିଡେନ୍‌, ନ୍ୟୁଜିଲ୍ୟାଣ୍ଡ ପୂର୍ବପରି ପ୍ରଥମ ଚାରି ସ୍ଥାନରେ ରହିଥିବା ବେଳେ ତିନୋଟି ସ୍ଥାନ ଉପରକୁ ଉଠି ପାଞ୍ଚ ନମ୍ବରରେ ପହଞ୍ଚିଛି ଫିନଲ୍ୟାଣ୍ଡ । ଉତ୍ତର କୋରିଆ ଏହି ତାଲିକାର ଅନ୍ତିମ ସ୍ଥାନରେ ରହିଛି । (ଏଜେନ୍ସୀ)

Related posts