ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ପୂର୍ବତଟ ରେଳପଥ ଇତିହାସ ରଚିଛି । ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ରେଲୱେ ବୋର୍ଡ ରୋଲିଙ୍ଗ ସ୍ଟକ ସଦସ୍ୟ ଶ୍ରୀ ରାଜେଶ ଅଗ୍ରୱାଲଙ୍କ ଦ୍ୱାରା ପୂର୍ବତଟ ରେଳପଥର ମହାପ୍ରବନ୍ଧଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ପୂର୍ବତଟ ରେଳପଥ, ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନାଠାରେ ବର୍ଜ୍ୟବସ୍ତୁରୁ ଉର୍ଜା ସଂରକ୍ଷଣ ପ୍ରକଳ୍ପକୁ ରେଲୱେ ବୋର୍ଡ ରୋଲିଙ୍ଗ ଷ୍ଟକ ମେମ୍ବର ଆଜି ଅପରାହ୍ନରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଓ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି ।
ଭିତ୍ତିପ୍ରସ୍ତରଠାରୁ କାର୍ଯ୍ୟକ୍ଷମ ପର୍ଯ୍ୟନ୍ତ ମାତ୍ର ତିନି ମାସ ସମୟ ଅବଧିରେ ସମ୍ପୂର୍ଣ୍ଣ ହୋଇପାରିଛି ଏହି ପ୍ରକଳ୍ପଟି । ପଲିକ୍ରାକ ବୈଷୟିକ ଓ ପ୍ରଯୁକ୍ତି ପ୍ରଣାଳୀ ବ୍ୟବହୃତ ଏହି ପ୍ରକଳ୍ପରେ ଥରକେ ୫୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁର କାର୍ଯ୍ୟ କ୍ଷମତା ରହିଛି । ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ଇ-ୱେଷ୍ଟ (ପ୍ରଯୁକ୍ତି ବର୍ଜ୍ୟବସ୍ତୁ) ଗୁଡିକ ହାଲୁକା ଡିଜେଲ ତେଲରେ ରୂପାନ୍ତରିତ ହେବ ଯାହାକି ହାଲୁକା ଜାଳେଣି ପାଇଁ ବ୍ୟବହୃତ ହୋଇ ପାରିବ ।