7 ତାରିଖରୁ ଆୟୋଜିତ ହେବ ଷୋଡଶ ଧଉଳି-କଳିଙ୍ଗ ମହୋତ୍ସବ

Published: Jan 31, 2020, 6:20 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନର ବିଶ୍ଵ ବ୍ୟାପୀ ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଷୋଡଶ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି । ପ୍ରତି ବର୍ଷ ଫେବ୍ରୁୟାରୀ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ଫେବୃୟାରୀ 7 ତାରିଖରୁ ଅନୁଷ୍ଠିତ ହେବ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିବେ ।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯିବ । ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ବୁଦ୍ଧ ସମ୍ମାନରେ ସମ୍ମାନିତ କରାଯିବ । ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ସହ ସମ୍ମାନ ସ୍ୱରୂପ 1 ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ସେହିପରି ଗୁରୁ ଘନଶ୍ୟାମ ପଣ୍ଡା, ଓଡିଶୀ ସଙ୍ଗୀତ ଗୁରୁ ଓ ଖ୍ୟାତି ସମ୍ପନ୍ନ ଗାୟକ, ଗୁରୁ ଆଲୋକା କାନୁନଗୋ, ପ୍ରଥିତଯଶା ଓଡିଶୀ ନୃତ୍ୟାଙ୍ଗନା, ଡ଼ ଦେବୀ ମିଶ୍ର, ଡ଼ ନିରଞ୍ଜନ ତ୍ରିପାଠୀ ଓ ଡ॰ ସ୍ଵାତି ତ୍ରିପାଠୀ, ଆମେରିକାସ୍ଥିତ ପ୍ରବାସୀ ଓଡିଆ ଓ ଓଡିଶୀ ନୃତ୍ୟର ଅନ୍ୟତମ ପୃଷ୍ଠପୋଷକ ଏବଂ ଜୟଦେବ ଦାସ ଜଣାଶୁଣା ମଞ୍ଚ ଆଲୋକ ସମ୍ପାଦନାକାରୀଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ ।

Related posts