କୋଲକତା : ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦିଲ୍ଲୀର ଶାହିନବାଗ୍ ପରି କୋଲକାତାର ସର୍କସ୍ ମଇଦାନଠାରେ 60 ମୁସଲିମ୍ ମହିଳା ସିଏଏକୁ ଧାରଣାରେ ବସିଛନ୍ତି । ରବିବାର ଧାରଣାରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତେବେ ମହିଳା ଜଣକ ହାର୍ଟଆଟାର୍କରେ ମୃତ୍ୟୁବରଣ କରୁଥିବାର ଜଣାପଡିଛି ।
ବିଗତ 26 ଦିନ ଧରି ସଂଶୋଧିତ ନାଗରିକତା ଆଇନ ବିରୋଧରେ କଲିକତାଠାରେ 60 ଜଣ ମୁସଲିମ୍ ମହିଳା ଅନିଶ୍ଚିତ କାଳ ପାଇଁ ଧାରଣାରେ ବସିଛନ୍ତି । ମହିଳାମାନେ ଧାରଣା କରୁଥିବା ସ୍ଥଳକୁ ‘କଲିକତାର ଶାହୀନ୍ ବାଗ୍’ ବୋଲି କୁହାଯାଉଛି । ଏହି ବିରୋଧ ପ୍ରଦର୍ଶନରେ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ମହିଳାମାନେ ମଧ୍ୟ ସାମିଲ୍ ରହିଛନ୍ତି । ମହିଳା ଜଣକ ମୃତ୍ୟୁ ପରେ ବି ଧାରଣା ଜାରି ରହିଛି । ତେବେ ଏହି ଧାରଣାରତ ମହିଳାମାନେ କୌଣସି ରାଜନୈତିକ ସମୂହ ସହ ଜଡିତ ନୁହନ୍ତି । ସେମାନେ ନିର୍ଭୀକ ଭାବେ ସିଏଏକୁ ବିରୋଧ କରୁଥିବାବେଳେ କହିଛନ୍ତି ଯେ, ଆମର ଏକମାତ୍ର ପରିଚୟ ହେଉଛି ଆମେ ଭାରତୀୟ ମହିଳା । ଆମକୁ ଡରାଇବା ପାଇଁ କୌଣସି ଶକ୍ତି ନାହିଁ ।
ବିଜେପିର ଅନୁପ୍ରବେଶକାରୀ ଅଭିଯୋଗ ଉପରେ ଏହି ଧାରଣାରତ ମହିଳାମାନେ କହିଛନ୍ତି ଯେ, ଆମ ପିଢି ପରେ ପଶ୍ଚିମବଙ୍ଗରେ ରହି ଆସୁଛି । ବର୍ଷ ବର୍ଷ ଧରି ହିନ୍ଦୁମାନଙ୍କ ସହିତ ଦୁର୍ଗା ପୂଜା ସମାରୋହରେ ସାମିଲ୍ ହୋଇଛି । ଆଜି ଅଚାନକ୍ ଆମକୁ ଆମ ଭାରତୀୟ ହେବାର ପ୍ରମାଣ ଦେବାକୁ ପଡୁଛି ।
ତେବେ ଏହି ଧାରଣାସ୍ଥଳକୁ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ସମେତ ବହୁ କଳାକାର, ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏହି ଧାରଣାସ୍ଥଳ ପରିଦର୍ଶନ କିରସାରିଛନ୍ତି। (ଏଜେନ୍ସି)