
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ମାତ୍ର ଚାରି ଦିନ। ସମସ୍ତ ରାଜନୈତିକ ଦଳମାନେ ଜୋରସୋର୍ରେ ପ୍ରଚାର ପ୍ରସାର କରୁଥିବାବେଳେ ବିଜେପିର ମଧ୍ୟ ଦଳୀୟ ତୁଙ୍ଗ ନେତୃବୃନ୍ଦମାନେ ତୁଫାନୀ ଗସ୍ତ କରି ଆକ୍ରମକ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ତରଫରୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ସେ କଡ଼କଡ଼ଡୁମାର ସିବିଡି ପଡ଼ିଆରେ ନିର୍ବାଚନ ରାଲିକୁ ସମ୍ବୋଧନ କରିବେ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ ପ୍ରଚାର ରାଲି। ଦିଲ୍ଲୀ ଓ ଉତ୍ତର ପୂର୍ବ ଲୋକସଭା ଅନ୍ତର୍ଗତ ଲୋକସଭାର ପ୍ରାୟ ୨୦ଟି ବିଧାନସଭାର ପ୍ରାର୍ଥୀ ଏହି ରାଲିରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ରାଲି ଫେବୃଆରୀ ୪ରେ ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଅନୁଷ୍ଠିତ ହେବ । ଦିଲ୍ଲୀରେ ୨୦ରୁ ଅଧିକ ଷ୍ଟାର ପ୍ରଚାରକଙ୍କୁ ନିୟୋଜିତ କରିଛି। ରବିବାର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟାନ୍ୟ ମୁଖ୍ୟ ନେତୃବୃନ୍ଦମାନେ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିଥିଲେ।