ଅଷ୍ଟମ ସନ୍ଧ୍ୟାରେ ଜନସମୁଦ୍ରରେ ପରିଣତ ହେଲା ଆଦିବାସୀ ମେଳା : ସାତ ଦିନର ରେକର୍ଡ ଭାଙ୍ଗିଲା କାରବାର

Published: Feb 4, 2020, 4:40 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଦିବାସୀ ମେଳାର ଅଷ୍ଟମ ସନ୍ଧ୍ୟା ବେଶ୍‌ ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରାୟ ଦୁଇ ଲକ୍ଷ ଲୋକ ମେଳା ବୁଲିବାକୁ ଆସିଥିଲେ । ସମଗ୍ର ମେଳା ପରିସରଟି ସେଲ୍ଫି ଜୋନ୍‌ ପରି ମନେ ହେଉଥିଲା । ଆବାଳବୃଦ୍ଧ ବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଉଥିବାବେଳେ ମେଳାରେ କାରବାର ଗତ ସାତ ଦିନରେ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ 85 ଲକ୍ଷ ଟଙ୍କା ଟପିଯାଇଛି ।

ମେଳାରେ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ଶେଷ ରଜନୀ ଥିବାବେଳେ ଗୁଜୁରାଟ, ନାଗାଲାଣ୍ଡ, ମହାରାଷ୍ଟ୍ର, ମଣିପୁର, ସିକିମ୍‌, ଅରୁଣାଚଳ ପ୍ରଦେଶ, ଆସାମ ସମେତ ଓଡ଼ିଶାର ଗାଦ୍‌ବା ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍‌ ଆର୍କଷଣୀୟ ହୋଇଥିଲା । ଲୋକେ ନୃତ୍ୟମଣ୍ଡପ ସମ୍ମୁଖରେ ଛିଡାହୋଇ ନୃତ୍ୟ ଦେଖିବା ସହିତ ମେଳା ପରିସରରେ ଲାଗିଥିବା ବଡ ବଡ ଟିଭି ପରଦାରେ ବି ନୃତ୍ୟକୁ ଉପଭୋଗ କରିଥିଲେ । ସେହିପରି ଖାଦ୍ୟମେଳା ପରିସରରେ ବେଶ୍‌ ଗହଳି ପରିଲକ୍ଷିତ ହୋଇଥିଲା । ଅନେକ ଦର୍ଶକ ଖାଦ୍ୟ ପାଇବା ପାଇଁ ବେଶ୍‌ କସରତ କରୁଥିଲେ । ଖାଦ୍ୟ ମେଳାରୁ 12 ଲକ୍ଷଟଙ୍କାର ବ୍ୟବସାୟ ହୋଇଥିବାବେଳେ ହସ୍ତଶିଳ୍ପ ମଣ୍ଡପରୁ 6 ଲକ୍ଷ ଓ ଆଦିବାସୀ ହାଟରୁ 4 ଲକ୍ଷ 70 ହଜାର ଟଙ୍କାର କାରବାର ହୋଇଥିବାର ସୂଚନା ମିଳିଛି । ଜାତୀୟ ଆଦିବାସୀ ମହୋତ୍ସବ ସହିତ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବକୁ ଦର୍ଶକେ ବେଶ୍‌ ଉପଭୋଗ କରିଥିଲେ । ମେଳା ପଡ଼ିଆରେ ଏତେ ସଂଖ୍ୟାରେ ଜନ ସମାଗମ ହୋଇଥିବା ସତ୍ତ୍ବେ ବି କୌଣସି ପ୍ରକାରର ଅଘଟଣ ଘଟିନଥିବାର ସୂଚନା ରହିଛି ।

Related posts