ରେଳ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖିଲେ ସସ୍ମିତ ପାତ୍ର : ରେଳ ବଜେଟ୍‌ ହ୍ରାସ ଚିନ୍ତାର କାରଣ

Published: Feb 6, 2020, 6:46 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ରାଜ୍ୟରେ ସବୁଠାରୁ କମ୍‍ ରେଳଲାଇନ୍‍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍‍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍‍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁର-ସମ୍ବଲପୁର ପ୍ରସ୍ତାବିତ ରେଳଲାଇନ୍‍କୁ ଓଡିଶା ପକ୍ଷରୁ ସ୍ୱାଗତ କରିଥିବାବେଳେ ଏହା ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସରିବା ଆବଶ୍ୟକ ବୋଲି କହିଛନ୍ତି ସସ୍ମିତ ପାତ୍ର । ରାଜ୍ୟ ସରକାର ଅଂଶଧନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂତନ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି କହିଛନ୍ତି ଡ. ପାତ୍ର । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି-ଧାମରା, ଚକୁଳିଆ-ବୁରାମରା, ଗୁଣୁପୁର-ଥେରୁବାଲି (ନୂଆ ଲାଇନ୍‍) ଆଦି ପାଇଁ ରାଜ୍ୟ ସରକାର ସହାୟତା ଲାଗି ପ୍ରତିଶ୍ରୁତି ଦେଇଥିଲେ । ତେଜସ୍‍ ଏକ୍ସପ୍ରେସ୍‍ ଭଳି ରେଳ ଚଳାଚଳକୁ ବିଜେଡି ସ୍ୱାଗତ କରିଥିବାବେଳେ ଓଡିଶାରେ ଏଭଳି ରେଳଗାଡି ଚଳାଇବାକୁ ଡକ୍ଟର ପାତ୍ର ମତ ଦେଇଛନ୍ତି । ସେହିଭଳି ବରାଦ ଅର୍ଥ ଯେଭଳି ଠିକଣା ସମୟରେ ଖର୍ଚ୍ଚ ହେବ ଏବଂ ବିଳମ୍ବିତ ହେଉଥିବା ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ ଭିତ୍ତିରେ ସରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଡକ୍ଟର ପାତ୍ର କହିଛନ୍ତି ।

Related posts