
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତ୍ତି ରଖିଛନ୍ତି ।ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତ୍ତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ଏହି ଆଇନ ଦ୍ୱାରା କେହି ଜଣେ ହେଲେ ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଏହି ସମାନ ମାର୍ଗରେ ହିଁ ଚାଲିଥିଲେ । ମୋଦୀ କହିଥିଲେ ଯେ, ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଚାହୁଁଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି । ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ ଲୋକସଭାରେ ଆଶ୍ୱାସନା ଦେଇଥିଲେ । ସିଏଏ ଲାଗୁ ହେବା ଦ୍ୱାରା ଧର୍ମ, ବିଶ୍ୱାସ ନିର୍ବିଶେଷରେ ଭାରତର କେହି ଜଣେ ହେଲେ ନାଗରିକ ପ୍ରଭାବିତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।