ସିଏଏକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତା

Published: Feb 6, 2020, 7:16 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବ ବିଜେପି କାର୍ଯ୍ୟକର୍ତ୍ତାମାନେ । ରାଜ୍ୟର 1004 ମଣ୍ଡଳର 37000 ବୁଥ୍‌ରୁ ସର୍ବନିମ୍ନ 50 ଜଣ କାର୍ଯ୍ୟକର୍ତ୍ତା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ୍‌ ସମ୍ପର୍କରେ ସଚେତନତା ରାଲି ଏବଂ ବିଶାଳ ଜନ ସମାବେଶ କରାଯାଉଛି । ଏହି ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଉଛି । ଏହା ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ଘରକୁ ଘର ଯାଇ ସିଏଏ ସମ୍ପର୍କିତ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି ।  ଏହି ଆଇନ୍‌କୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଞ୍ଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି ।

Related posts