ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଧର୍ମଶାଳାର ରଙ୍ଗଶାଳାକୁ ଭାଙ୍ଗିଦିଆଗଲା: ଲେଖାଶ୍ରୀ

Published: Feb 8, 2020, 5:26 pm IST

ଭୁବନେଶ୍ୱର :ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରଠାରେ ଯେଉଁ ବେଆଇନ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀର ହତ୍ୟା କରାଯାଇଥିଲା ଗତକାଲି ସେହି ଘରକୁ ସରକାର ଭାଙ୍ଗିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା କି, ଯଦି ୨୦୧୮ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଧର୍ମଶାଳାକୁ ଭଙ୍ଗାଯାଇଥାନ୍ତା ତେବେ ହୁଏତ ଆଜି ସ୍ମିତାରାଣୀ ଜୀବିତ ରହିଥାନ୍ତେ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର କାଗଜରେ ଦେଖାଇଥିଲେ ୨୦୧୮ରେ ସେ ଘର ଭଙ୍ଗାଯାଇଛି କିନ୍ତୁ ସେ ରଙ୍ଗଶାଳାକୁ ଭଙ୍ଗା ଯାଇନଥିଲା । ଯଦିଓ ରାଜ୍ୟସରକାର କହିଛନ୍ତି ତାକୁ ଭାଙ୍ଗିଛନ୍ତି ବୋଲି ତେବେ ଏହି ଭୂତକୋଠିରେ ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ହଠାତ୍ ଜିଲ୍ଲା ପ୍ରଶାସନର ସେହି ବେଆଇନ ନିର୍ମିତ ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢିଗଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ସ୍ମିତାରାଣୀ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ବେଆଇନ ଘରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଭଙ୍ଗାଯାଇଛି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ସ୍ମିତାରାଣୀ ହତ୍ୟା ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ୍ ଭଦ୍ରଙ୍କ ସହ ଆଉ ଚାରି ଜଣ ବିଜୁଜନତା ଦଳର ନିର୍ବାଚିତ ପ୍ରତିନିଧି, ରାମକୋ ଅଧିକାରୀ ଉପସ୍ଥିତ ଥିଲେ । ସେଦିନ ରଙ୍ଗଶାଳାରେ କଣ ଘଟଣା ଘଟିଛି ତାହାର ତଥ୍ୟ ପ୍ରମାଣ ସେହି ଘରେ ରହିଥିଲା । ଏବେ ରଙ୍ଗଶାଳାକୁ ଭାଙ୍ଗି ସମସ୍ତ ତଥ୍ୟ ପ୍ରମାଣକୁ ନଷ୍ଟ କରିବା ରଙ୍ଗଶାଳାକୁ ଭାଙ୍ଗିଦିଆଯାଇଛି । ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ରଙ୍ଗଶାଳାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଜବରଦସ୍ତି ସେଠାରୁ ଉଚ୍ଛେଦ କରାଯାଇଥିଲା । ତେଣୁ ସିସିଟିଭି କ୍ୟାମେରା ପୋଲିସ ପ୍ରଶାସନ ଜବତ କରି ପାରିନଥିଲା । ରଙ୍ଗଶାଳାକୁ ହୋସପାଇପ୍ ଲଗାଇ ସଫା କରିବାକୁ ଉଦ୍ୟମ କରାଯାଇଥିଲା ବୋଲି ଡ.ସାମନ୍ତସିଂହାର କହିଛନ୍ତି । ଏହି ଘଟଣା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଲେଖାଶ୍ରୀ ଦାବୀ କରିଛନ୍ତି।

Related posts