ଜାପାନରୁ ଦୁଇ ଓଡ଼ିଆଙ୍କ ଶବ ଆଣିବାରେ ସହଯୋଗ କଲା ‘ମୋ ପରିବାର’

Published: Feb 9, 2020, 3:20 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ । ରୋଷେଇ କରୁଥିବା ବେଳେ ଗ୍ୟାସ୍ ନିର୍ଗତ କାରଣରୁ ଶ୍ୱାସରୁଦ୍ଧ ହୋଇ ସେମାନେ ମୃତ୍ୟୁବରଣ କରିଥିଲେ । ପୁଅର ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ସେମାନଙ୍କ ଶବକୁ ଓଡ଼ିଶା ଆଣିବା ପାଇଁ ପରିବାର ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ‘ଓଡ଼ିଶା-ମୋ ପରିବାର’ ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ ଏବଂ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଜାପାନରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି ମୃତ ଦୁଇ ଯୁବକଙ୍କ ଶବକୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି । ଆଜି ସକାଳୁ ବିମାନେଯୋଗେ ସେମାନଙ୍କ ପାର୍ଥିବ ଶରୀର କୋଲକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ‘ଓଡ଼ିଶା-ମୋ ପରିବାର’ ଆବାହକ ଶ୍ରୀ ପଟ୍ଟନାୟକ ଏବଂ ଉପଦେଷ୍ଟା ଶ୍ରୀ ପଟ୍ଟନାୟକ ସେଠାରେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଗ୍ରହଣ କରିଥିଲେ । ପରେ ସେଠାରେ ଉପସ୍ଥିତ ଉଭୟଙ୍କ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ସେଠାରୁ ଦୁଇଟି ପୃଥକ୍ ଗାଡ଼ିରେ ଉଭୟଙ୍କ ଗାଁକୁ ଶବ ପଠାଇବାର ବ୍ୟବସ୍ଥା ହୋଇଥିଲା । ସେଥିପାଇଁ ‘ ଓଡ଼ିଶା-ମୋ ପରିବାର’ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଆବାହକ ଅରୂପ ପଟ୍ଟନାୟକ । ‘ଓଡ଼ିଶା-ମୋ ପରିବାର’ ର ଏଭଳି ସହଯୋଗ ଓ ବଦାନ୍ୟତା ପାଇଁ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।

 

Related posts