ରଞ୍ଜିତ୍ ପଣ୍ଡା
ପାରାଦୀପ : ଆର୍ଥିକ ଅନଗ୍ରସର ମହିଳା ଓ ଯୁବତୀମାନଙ୍କୁ ସଶକ୍ତିକରଣ କରି ସ୍ବାବଲମ୍ବୀ କରିବାର ଲକ୍ଷ୍ୟ ରଖି ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ତରଫରୁ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା ପାରାଦ୍ବୀପସ୍ଥିତ ଜେଏସ୍ଡବ୍ଲ୍ୟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏରସମା ବ୍ଲକ୍ରେ ନୂଆଗାଁଠାରେ ଜେଏସ୍ଡବ୍ଲ୍ୟୁ ଏକ ଅତ୍ୟାଧୁନିକ ଇସ୍ପାତ ପ୍ରକଳ୍ପ ପାଇଁ ସ୍ଥିର ହୋଇଛି । ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ 71ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହି କ୍ରମରେ ଉକ୍ତ ଅଞ୍ଚଳରେ ଥିବା ଗରିବ ମହିଳା ଓ ଯୁବତୀମାନେ କିଭଳି ନିଜର ଓ ପରିବାର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଢିଙ୍କିଆ, ଗଡକୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ଥିବା 18ରୁ 35 ବର୍ଷ ମହିଳା ଓ ଯୁବତୀମାନଙ୍କୁ ନେଇ ସାହି ଏକ୍ସପୋର୍ଟର ମିଳିତ ସହଯୋଗରେ ଏକ ଦୁଇଦିନିଆ କର୍ମଶାଳା ପାରାଦୀପ କାର୍ଯ୍ୟାଳୟରେ ଶେଷ ହୋଇଛି । ଏହି କର୍ମଶାଳାରେ 60ରୁ 70 ଜଣ ମହିଳା ଯୁବତୀ ଯୋଗଦେଇଥିଲେ । କମ୍ପାନୀ ତରଫରୁ ଆଗାମୀ ଦିନରେ ଉକ୍ତ ତିନୋଟି ପଞ୍ଚାୟର ମହିଳା ଓ ଯୁବତୀମାନଙ୍କୁ ମାଗଣାରେ ଚାରି ମାସ ଶିକ୍ଷା ଦିଆଯିବା ସହିତ ସେମାନଙ୍କ ଦକ୍ଷତା ଅନୁସାରେ ଗ୍ରାର୍ମେଣ୍ଟ କମ୍ପାନୀରେ କାମ କରି ଅର୍ଥ ଉପାଜ୍ଜନ କରିପାରିବେ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । ଜେଏସ୍ଡବ୍ଲ୍ୟୁର ଏହି ଅଭିନବ ପ୍ରୟାସକୁ ଉକ୍ତ ଅଞ୍ଚଳରେ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ 50ରୁ 60ଜଣ ଗୋଷ୍ଠୀ ସହାୟିକା ଓ ଦକ୍ଷ ନଥିପତ୍ର ସହାୟିକାମାନଙ୍କୁ ଓରମାସ ଦ୍ବାରା ଆୟୋଜିତ ‘ଶିଶିର ସରସ ମେଳା -2020’କୁ ନିଆଯାଇ ଅଧିକ ଗୁଣବତ୍ତାର ଧୂପକାଠି ପ୍ରସ୍ତୁତ ଓ ବିକ୍ରୟ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ଶିକ୍ଷା ଜେଏସ୍ଡବ୍ଲ୍ୟୁ ତରଫରୁ ଦିଆଯାଇଥିଲା ।