ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ :  ଶୃଙ୍ଖଳିତ ପରୀକ୍ଷା ପାଇଁ ବୋର୍ଡର ବ୍ୟାପକ ବନ୍ଦୋବସ୍ତ

Published: Feb 19, 2020, 9:19 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ଆଜିଠାରୁ ଚଳିତ ବର୍ଷର ମାଟ୍ରିକ୍ ଆରମ୍ଭ ହେଉଛି। ଛାତ୍ର ଜୀବନର ପ୍ରଥମ ବଡ଼ ସୋପାନ ହେଉଛି ମାଟ୍ରିକ୍‌ । ଆଜି ପୂର୍ବାହ୍ନ 10ଟାରୁ ଅପରାହ୍ନ ସାଢ଼େ 12ଟା ଯାଏଁ ଏହି ପରୀକ୍ଷା ହେବ। ପିଲାମାନେ ସକାଳ 9ଟା 30ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। 9ଟା 45ରେ ସେମାନଙ୍କୁ ପ୍ରଶ୍ନପତ୍ର ଦିଆଯିବ। ଅବ୍‌ଜେଟିକ୍‌ ପ୍ରଶ୍ନର ଉତ୍ତର 11ଟା ମଧ୍ୟରେ ଶେଷ କରିବାକୁ ହେବ। ଏହା ପରେ ଦୀର୍ଘ ଉତ୍ତର ପାଇଁ ପିଲାମାନେ 11ଟାରୁ ସାଢ଼େ 12ଟା ଯାଏଁ ଦେଢ଼ ଘଣ୍ଟା ଯାଏଁ ଲେଖିପାରିବେ। ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତେଜନାପୂର୍ଣ୍ଣ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ଆଜି ପ୍ରଥମ ଦିନରେ ମାତୃଭାଷା ଓଡ଼ିଆର ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।  ସୂଚନାଯୋଗ୍ୟ, ଚଳିତବର୍ଷ  2888 ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ 5 ଲକ୍ଷ 60 ହଜାର 905 ଜଣ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ପରୀକ୍ଷାର ସୁପରିଚାଳନା ଓ କପି ବନ୍ଦ ପାଇଁ ଜିଲ୍ଲାସ୍ତରରେ 69ଟି ଫ୍ଲାଇଂ ସ୍କ୍ଵାର୍ଡ ଓ ପରିଷଦସ୍ତରରେ 44ଟି ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି। ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି ବୋଲି ସୂଚନା ରହିଛି ।

Related posts