ଦାଦା ବଟିକୁ ନେଇ ପାଚେରୀ ଭାଙ୍ଗିଲେ ଯୁବକ, ଥାନାରେ ଏତଲା

Published: Feb 19, 2020, 7:01 pm IST

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ଦାଦା ବଟିକୁ ନେଇ ଜନୈକ ଯୁବକ ବଳିଆ ଗ୍ରାମର ବାପୁଜୀ ବିଦାପୀଠ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି। ଏନେଇ ଠିକାଦାର ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଲିଆ ସ୍ଥିତ ବାପୁଜୀ ବିଦ୍ୟାପୀଠର ପାଚେରୀ ନିର୍ମାଣ ପାଇଁ ସେ ୬ଲକ୍ଷ ଟଙ୍କାର ଟେଣ୍ଡର ନେଇଥିଲେ। ସେହି ଗ୍ରାମରେ ଜନୈକ ଯୁବକ ଏନେଇ ତାଙ୍କୁ ୫୦ ହଜାର ଟଙ୍କା ବଟି ମାଗିଥିଲେ। ବଟି ନଦେଲେ ପାଚେରୀକୁ ମାଟିରେ ମିଶାଇ ଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଠିକାଦାର ଜଣକ। ଠିକାଦାର ଜଣକ ଟଙ୍କା ନ ଦେବାରୁ ସମ୍ପୃକ୍ତ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହିତ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇଥିଲା। ଗତରାତିରେ ନିର୍ମାଣଧୀନ ପାଚେରୀର ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଭାଙ୍ଗି ଯାଇଥିବାର ଅଭିଯୋଗ କରିଛନ୍ତି ଠିକାଦାର ଜଣକ। ଅଭିଯୋଗ ପରେ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଥାନାଧିକାରୀ।

 

Related posts