ମାଟ୍ରିକ ପରୀକ୍ଷା ପରିଚାଳନା ତ୍ରୁଟିକୁ ସଜାଡ଼ିବାକୁ ସ୍ମାରକପତ୍ର

Published: Feb 21, 2020, 10:19 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପୂର୍ବରୁ କୌଣସି ସୂଚନା ନଥାଇ ପରୀକ୍ଷାରେ ନିର୍ଦ୍ଧାରିତ ୨ ଘଣ୍ଟା ୩୦ ମିନିଟ୍ ସମୟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ସଂକ୍ଷିପ୍ତ ପାଇଁ ୧ ଘଣ୍ଟା ଏବଂ ଅବଶିଷ୍ଟ ପାଇଁ ଦେଢ଼ଘଣ୍ଟା ମିଳୁଛି । ତେବେ ଅଧିକାଂଶ ଛାତ୍ରଛାତ୍ରୀ ସଂକ୍ଷିପ୍ତ ଉତ୍ତର ପ୍ରଦାନ ୩୫ ରୁ ୪୦ ମିନିଟ୍ ମଧ୍ୟରେ ସମାପ୍ତ କରି ପରୀକ୍ଷା ହଲ୍‌ରେ ଖାଲିରେ ବସୁଛନ୍ତି । ଏପରିକି ଦୀର୍ଘ ପ୍ରଶ୍ନୋତ୍ତର ପ୍ରଦାନ ପାଇଁ ୧ ଘଣ୍ଟା ୩୦ ମିନିଟ୍ ସମୟ ନିଅଣ୍ଟ ହେଉଛି । ନୂତନ ନିୟମାନୁସାରେ ସେମାନେ ଦୀର୍ଘ ପ୍ରଶ୍ନୋତ୍ତର ଖାତା ଖୋଲିବାକୁ ଅନୁମତି ପାଉନାହାନ୍ତି । ଏହି ପ୍ରକ୍ରିୟାରେ ପରୀକ୍ଷା ହେବ ବୋଲି ପିଲାମାନେ ଆଗରୁ ଜାଣିନଥିଲେ। କର୍ତ୍ତୃପକ୍ଷ ଏହି ଗିନିପିକ୍ ନୀତିରେ ଅସୁବିଧାର ସମ୍ମୁଖୀନ ହୋଇ ମନଦୁଃଖରେ କାନ୍ଦି କାନ୍ଦି ପରୀକ୍ଷା ହଲ୍‌ରୁ ମାତୃଭାଷା ପରୀକ୍ଷା ଦେଇ ଆସିଥିଲେ ।

ତେଣୁ ଅଲ୍‌ଇଣ୍ଡିଆ ଡ଼ିଏସ୍‌ଓ ଏହାର ବିରୋଧ କରିବା ସହ ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷାର ସମସ୍ତ ବିଷୟ ପାଇଁ ସଂକ୍ଷିପ୍ତ ଓ ଦୀର୍ଘ ପ୍ରଶ୍ନପତ୍ରକୁ ଏକା ସାଙ୍ଗରେ ପ୍ରଦାନ କରି ପରୀକ୍ଷାର୍ଥୀଙ୍କ ଉଦ୍ଦିଷ୍ଟ ୨.୩୦ ସମୟ ବ୍ୟବହାର ପାଇଁ ଦାବି କରାଯାଇଛି । ଏହି ମର୍ମରେ ଗତକାଲି ଏଆଇଡ଼ିଏସ୍‌ଓର ରାଜ୍ୟ ଉପସଭାପତି ସୋମନାଥ ବେହେରା, ଗଂଜାମ ଜିଲ୍ଲା କମିଟି ସଂପାଦକ ନିମାଇଁ ଚରଣ ସାହୁ, ପପୁନ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, କିଶାନ ସାହୁ, ଅଲିଭା ଦାସ, ବିଭୂତି ସାହୁ ପ୍ରମୁଖ ବ୍ରହ୍ମପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟାଳୟରେ ଉପସଚିବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Related posts