
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିଜେପି ବିଧାୟକ ଦଳ ନେତା ଚୟନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ବିଧାୟକ ଦଳର ନେତା କିଏ ହେବ ନେଇ ଏବେ ଚାଲିଛି ବିଚାର ବିମର୍ଶ। ସେହିପରି ବିଧାନସଭାରେ ବିରୋଧୀ ନେତା ଚୟନ ନେଇ ମଧ୍ୟ ବିଚାର ଚାଲିଛି। ମଙ୍ଗଳବାର ଦିନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ସରୋଜ ପାଣ୍ଡେଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରି ବିଧାୟକ ଦଳ ନେତା ଚୟନର ଦାୟିତ୍ବ ଦେଇଛନ୍ତି।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର 8ଟି ଆସନ ମିଳିଛି। ଏବେ ଏହି ଆଠଟି ଆସନରୁ ଜଣକୁ ବିଧାୟକ ନେତା ଚୟନ କରିବାକୁ ପଡିବ। ତେବେ ମିଳିଥିବା ସୂଚନା ଅନୁସାରେ ବିଜେପି ବିଧାୟକ ନେତା ନେଇ ତିନୋଟି ନାମକୁ ନେଇ ଏବେ ବେଶ୍ ଚର୍ଚ୍ଚା ରହିଛି । ତିନିଜଣଙ୍କ ମଧ୍ୟରେ ରହିଛନ୍ତି ବିଜେନ୍ଦ୍ର ଗୁପ୍ତା, ରାମବୀର ସିଂହ ବିଧୁଡି ଓ ମୋହନ ସିଂ ବିଷ୍ଟ୍। ଗତ ବିଧାନସଭାରେ ବିଜେନ୍ଦ୍ର ଗୁପ୍ତା ବିରୋଧୀ ନେତା ରୂପେ ରହିଥିଲେ। ଚଳିତଥର ପୁନଶ୍ଚ ତାଙ୍କୁ ଆଉ ଥରେ ଦାୟିତ୍ବ ଦିଆଯିବ କି ନାହିଁ ଏହା ପର୍ଯ୍ୟନ୍ତ ନିର୍ଣ୍ଣୟ ନିଆଯାଇନାହିଁ। ସେହିପରି କରାଓ୍ବଲ ନଗରରୁ ମୋହନ ସିଂ ବିଷ୍ଟ୍ ପଞ୍ଚମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏବଂ ସମସ୍ତ 8ଜଣ ବିଧାୟକଙ୍କ ମଧ୍ୟରେ ବରିଷ୍ଠ ତଥା ଅନୁଭବୀ ବିଧାୟକ ହେଉଛନ୍ତି ମୋହନ ସିଂ ବିଷ୍ଟ୍। ତେବେ ଦିଲ୍ଲୀରେ ବିଜେପି ବିଧାୟକ ଦଳର ନେତା ତଥା ବିଧାନସଭାର ବିରୋଧୀ ବିଧାୟକ ଦଳ ନେତା ରୂପେ କିଏ ହେବ ସେ ନେଇ ଅଙ୍କ ଛିଣ୍ଡି ନାହିଁ।