ନୂଆଦିଲ୍ଲୀ : ସିଏଏକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଏବେ ଉଗ୍ର ରୂପ ଧାରଣ କରିଛି । ଉତ୍ତର ପୂର୍ବ ଦିଲ୍ଲୀରେ ଏବେ ଏହାକୁ ନେଇ ବେଶ୍ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତରପୂର୍ବ ଦିଲ୍ଲୀରେ ସୋମବାର ପ୍ରବଳ ହିଂସା ଅନୁଭୂତ ହୋଇଛି । ଏହି ହିଂସାକାଣ୍ଡରେ ଜଣେ ହେଡ୍ କନେଷ୍ଟବଳଙ୍କ ସମେତ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 100ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମଙ୍ଗଳବାର ଦିନ ମଧ୍ୟ ମୌଜପୁର ଓ ବ୍ରହ୍ମାପୁରୀ ଅଞ୍ଚଳରେ ପଥରମାଡ ଆରମ୍ଭ ହୋଇଯାଇଛି ।
ଆଜି ସକାଳୁ ମଧ୍ୟ ଉତ୍ତେଜନାପୂର୍ଣ୍ଣ ପରିବେଶ ରହିଥିବାରୁ ସେଠାରେ ପୋଲିସ୍ ଛାଉଣୀ ରହିଛନ୍ତି । ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମୌଜପୁର ଓ ଆଖପାଖ ଅଞ୍ଚଳରେ ପୋଡାଜଳା ଲାଗିଥିବାର 45ଟି କଲ୍ ଆସିଥିବାର ସୂଚନା ରହିଛି । ଯେଉଁଥିରେ ଏକ ଦମକଳ ଗାଡି ଉପରେ ପଥର ମାଡ କରାଯାଇଥିବାବେଳେ ଗୋଟିଏ ଦମକଳ ଗାଡିରେ ନିଆଁ ଲଗାଇ ଦିଆଯାଇଥିଲା । ଏଥିରେ ତିନି ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ହିଂସକାଣ୍ଡ ଘଟିଥିବା ସମେତ ଉତ୍ତର ପୂର୍ବ ଦିଲ୍ଲୀ ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ଏତଦ୍ବ୍ୟତୀତ ପାଞ୍ଚୋଟି ମେଟ୍ରୋ ଷ୍ଟେସନ୍ ଓ ସ୍କୁଲ-କଲେଜ ବନ୍ଦ କରାଯାଇଛି। (ଏଜେନ୍ସି)