ଓପିଜିସିର ପରିଚାଳନା ଦାୟିତ୍ବ ସରକାର ଗ୍ରହଣ କରିବା ନେଇ ଦାବି

Published: Feb 26, 2020, 4:31 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପରିଚାଳନା ଦାୟିତ୍ବ ରାଜ୍ୟ ସରକାର ନିଜ ହାତକୁ ନେବାପାଇଁ ବୁଧବାର ବିଧାନସଭାରେ ଦାବି କରାଯାଇଥିଲା । ଓପିଜିସିର ସଦସ୍ୟ ମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରୁଥିବା ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିଦେଶୀ କମ୍ପାନୀ ଏଇଏସ୍‌ ନିକଟରେ ବର୍ତ୍ତମାନ ନିଗମର ପରିଚାଳନା ଦାୟିତ୍ବ ରହିଛି ।
ରାଜ୍ୟ ସରକାରଙ୍କ ନିକଟରେ ନିଗମର 51 ପ୍ରତିଶତ ଅଂଶଧନ ରହିଥିବା ବେଳେ ଉକ୍ତ କମ୍ପାନୀ ନିକଟରେ 49 ପ୍ରତିଶତ ଅଂଶଧନ ରହିଛି । ସରକାରଙ୍କ ନିକଟରେ ନିଗମର ପରିଚାଳନା ଦାୟିତ୍ବ ରହିବା ଉଚିତ୍‌ ମାତ୍ର କଂଗ୍ରେସ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ଏଇଏସ୍‌ ନିକଟରେ ପରିଚାଳନା ଦାୟିତ୍ବ ରହିଛି । ଏହା ଦ୍ବାରା କମ୍ପାନୀର ମୂଳ କର୍ମଚାରୀଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିବା ତଥା ନିଗମର ସ୍ବାର୍ଥ ବିରୋଧୀ ପଦକ୍ଷେପ ନିଆଯାଉଥିବା ପ୍ରତିବାଦରେ କର୍ମଚାରୀ ମାନେ କଳା ବ୍ୟାଜ୍‌ ପରିଧାନ କରିଥିଲେ ।ଏହା ସହିତ ଏଇଏସ୍‌ ସହିତ ହୋଇଥିବା ଚୁକ୍ତିର ସଂଶୋଧନ ସହିତ ବାଚସ୍ପତିଙ୍କୁ ରୁଲିଂ ଦାବି କରାଯାଇଥିଲା ।
ଶାସକ ଦଳର ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, କିଶୋର ମହାନ୍ତି, ଅମର ପ୍ରସାଦ ଶତପଥୀ, ଭୂପିନ୍ଦର ସିଂ ଏବଂ ବିରୋଧୀଙ୍କ ମଧ୍ୟରେ ପ୍ରଦୀପ୍ତ ନାୟକ ଏବଂ ନରସିଂହ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ ।

Related posts