ମଧ୍ୟପ୍ରଦେଶର ସତାନାର ସ୍କୁଲବସରୁ ଅପହରଣ ହୋଇଥିବା ଯାଆଁଳା ଶିଶୁଙ୍କୁ ଅପହରଣକାରୀମାନେ ହତ୍ୟା କରିଦେଇଛନ୍ତି । ଦୁଇ ଶିଶୁଙ୍କ ମୃତ ଶରୀର ଉତ୍ତରପ୍ରଦେଶର ବାନ୍ଦାଠାରୁ ମିଳିଛି । ଏହି ମୃତ ଶିଶୁଦ୍ୱୟଙ୍କ ନାମ ହେଉଛି ଦେବାଂଶ ଓ ପ୍ରିୟାଂଶ । ମିଳିଥିବା ସୂଚନା ଅନୁସାରେ ୨୦ ଲକ୍ଷ ଟଙ୍କା ପାଇଁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ଏହି ମାମଲାରେ ପୁଲିସ୍ ୬ଜଣଙ୍କୁ ଗିରଫକରିଛନ୍ତି । ଫେବୃଆରୀ ୧୨ ତାରିଖରେ ସତାନାର ଏକ ସ୍କୁଲ ବସରୁ ଏହି ଦୁଇ ଶିଶୁଙ୍କୁ ଅପହରଣ କରାଯାଇଥିଲା । ଶିଶୁ ଦ୍ଵୟ ନ ମିଳିବା ଓ ପରିଶେଷରେ ତାଙ୍କ ମୃତ ଦେହ ମିଳିବାକୁ ନେଇ ସାଧାରଣ ଲୋକେ ମଧ୍ୟପ୍ରଦେଶର ପୁଲିସ୍ ବିଭାଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଜନସାଧାରଣ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢିବା ପୂର୍ବରୁ ଆଇନ୍ ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କମଲନାଥଙ୍କ ସରକାର ଦୁଇ ନିର୍ଦ୍ଦୋଷ ଶିଶୁଙ୍କ ଜୀବନକୁ ବଞ୍ଚାଇ ନ ପାରିବା ତାଙ୍କ ଅପାରଗପଣିଆ ବୋଲି ସାଧାରଣରେ କହି ହଙ୍ଗାମା ସୃଷ୍ଟି କରୁଛନ୍ତି ।
ଯାଆଁଳା ଶିଶୁଙ୍କୁ ଅପହରଣ ପରେ ହତ୍ୟା : ମଧ୍ୟପ୍ରଦେଶରେ ହଙ୍ଗାମା
Published:
Feb 24, 2019, 12:45 pm IST
Tags: