ହୋଲିରେ ରଂଗ ବଦଳାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସରୁ ଦେଲେ ଇସ୍ତଫା, ସେ ସୋନିଆଙ୍କୁ କଣ ଲେଖିଛନ୍ତି ପଢନ୍ତୁ

Published: Mar 10, 2020, 12:46 pm IST

ନୂଆଦିଲ୍ଲୀ, ଶେଷରେ ମଧ୍ୟ ପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଆଜି ସକାଳେ ସିନ୍ଧିଆ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଅମିତ ଶାହା ଏବଂ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଦୀର୍ଘ ସମୟ ଧରି ମୋଦୀ, ଶାହା ଏବଂ ସିନ୍ଧିଆ ଆଲୋଚନା କରିଥିଲେ।

ବୈଠକରୁ ବାହାରିବା ପରେ ସିନ୍ଧିଆ କହିଛନ୍ତି ଯେ , ସେ କଂଗ୍ରେସରୁ ଇସ୍ତଫା ଦେଇ ଦେଇଛନ୍ତି। ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ବୋଲି ସିନ୍ଧିଆ କହିଛନ୍ତି। ସୋନିଆଙ୍କୁ  ସେ ଯେଉଁ ଇସ୍ତଫା ପତ୍ର ଦେଇଛନ୍ତି ସେଥିରେ ସେ ଲେଖିଛନ୍ତି ଯେ, ଗତ 18 ବର୍ଷ ଧରି ସେ କଂଗ୍ରେସ ଦଳର ଜଣେ ପ୍ରାଥମିକ ସଦସ୍ୟ ଭାବେ କାମ କରୁଥିଲେ। ହେଲେ ବର୍ତ୍ତମାନ ସମୟ ଆସିଛି ଏହି ଦଳଙ୍କୁ ତ୍ୟାଗ କରିବା। ହେଲେ ଲୋକଙ୍କ ସେବା କାମ ବଜାଇ ରହିବ ବୋଲି ସିନ୍ଧିଆ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ମଧ୍ୟ ପ୍ରଦେଶର କମଳନାଥ ସରକାରଙ୍କ ଅଡୁଆ ବଢିବାରେ ଲାଗିଲା। ଯାହା କୁହାଯାଉଛି ଯେ, ସିନ୍ଧିଆଙ୍କ ପାଖରେ 20 ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ର ରହିଛି ତାହା ଯଦି ସତ ତେବେ କମଳନାଥ ସରକାର ଭାଙ୍ଗିଯିବାର ସମ୍ଭାବନା ଦେଖାଦେଇଛି। ବର୍ତ୍ତମାନ କଂଗ୍ରେସ ଦଳ ତରଫରୁ ଏକ ଜରୁରୀ ବୈଠକ ଡକାଯାଇଛି।

Related posts