ସନ୍ଦିଗ୍ଧ କରୋନା ରୋଗୀ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ କଲେ ଆତ୍ମହତ୍ୟା

Published: Mar 19, 2020, 10:08 am IST

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀଠାରେ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି ।

ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ୍‌ରେ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି । ରୋଗୀ ଜଣକ ହସ୍ପିଟାଲ୍‌ର ସପ୍ତମ ମହଲାରୁ ଡେଇଁ ପ୍ରାଣତ୍ୟାଗ କରିଛନ୍ତି । 35 ବର୍ଷୀୟ ମୃତକ ଜଣକ ନିକଟରେ ଅଷ୍ଟ୍ରେଲିଆ ସିଡ୍‌ନୀରୁ ଫେରିଥିଲେ । ମୃତକ ଜଣକ ଗତ ଏକବର୍ଷ ଧରି ସିଡ୍‌ନୀରେ ରହୁଥିଲେ ।

ନୋଡାଲ୍‌ ଅଧିକାରୀଙ୍କ କହିବାନୁସାରେ ରୋଗୀ ଜଣଙ୍କୁ ରାତ୍ରି 9ଟା ସମୟରେ ଆଇଜିଆଇ ବିମାନ ବନ୍ଦରରୁ ସନ୍ଦିଗ୍ଧ ରୂପେ ଆଣି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡ ବଥା ହେଉଥିଲା ବୋଲି ସେ କହୁଥିଲେ ।

ଚୀନର ବୁହାନ ସହରରୁ ବ୍ୟାପିଥିବା କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ସର୍ବମୋଟ 166 ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶର ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି । ଭାରତରେ କରୋନା ରୋଗରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts