ମୁମ୍ବାଇରେ ଫଶିଛନ୍ତି ବାଲୁଗାଁର ଜଣେ ଛାତ୍ରଙ୍କ ସମେତ ୭୫ଜଣ ଓଡ଼ିଆ ଛାତ୍ରଛାତ୍ରୀ, ଫେରିବା ପାଇଁ କରୁଛନ୍ତି ନିବେଦନ, ଏନେଇ ଭିଡିଓ ହେଲା ଭାଇରାଲ୍‌

Published: Mar 25, 2020, 3:54 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: କରୋନାକୁ ନେଇ ସାରା ବିଶ୍ୱରେ ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମହାମାରୀ କରୋନା ଯୋଗୁଁ ଭାରତ ସରକାର ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯିଏ ଯେଉଁଠି ରହିଲେ ବି ଏବେ ନିଜ ଭିଟାମାଟିକୁ ଫେରିବା ପାଇଁ ଚାହୁଁଛନ୍ତି।  ଏବେ ମହାରାଷ୍ଟ୍ରରେ ଫସି ରହିଥିବା ୭୫ରୁ ଅଧିକ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏହି ୭୫ଜଣଙ୍କ ଭିତରେ ରହିଛନ୍ତି ବାଲୁଗାଁର ଗୋପିନାଥପୁରର ଶୁଭମ୍‌ଜିତ୍‌ ସାହୁ। ଶୁଭମ୍‌ଜିତ୍‌ ମୁମ୍ବାଇରେ ବି.ଇଡି କରୁଥିବାବେଳେ ପରୀକ୍ଷା ଥିବାରୁ ସେ ନିଜ ଘରକୁ ଫେରିପାରିନାହାନ୍ତି। ଏନେଇ ଏକ ଭିଡିଓ ସେୟାର କରି ସେ ତାଙ୍କ ଅସୁବିଧା ସମ୍ପର୍କରେ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଅଧୀନସ୍ଥ କେ.ଜେ. ସୋମେୟା ସଂସ୍କୃତ ବିଦ୍ୟାପୀଠ  ମୁମ୍ବାଇ ପରିସରରେ ପ୍ରାୟ ୭୫ ଜଣ ଛାତ୍ରଛାତ୍ରୀ ବି.ଇଡି କରୁଛନ୍ତି। ସମ୍ପ୍ରତି ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଥିବାବେଳେ ସେଠାରେ ସ୍ଥିତିକୁ ଦେଖି ଏହି ଛାତ୍ରଛାତ୍ରୀମାନେ ବେଶ୍‌ ଭୟାତୁଳ ଅବସ୍ଥାରେ ରହିଛନ୍ତି। ଦୋକାନ ବଜାର ଲକ୍‌ ଡାଉନ୍‌ ପାଇଁ ବନ୍ଦ ରହିଥିବାବେଳେ ସେମାନେ  ପାଣି ଓ ଗ୍ୟାସର ଅସୁବିଧା ଯୋଗୁଁ ଖାଇବା ପାଇଁ ବେଶ୍‌ ହଇରାଣ ହେଉଛନ୍ତି। ଦୁଇ ଦିନ ଧରି ସେମାନେ ବିନା ଖାଦ୍ୟରେ ରହିଛନ୍ତି ବୋଲି କହିଛନ୍ତି। ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ଥିବା ଏହି ୭୫ ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇନେବା ପାଇଁ ସେମାନେ ଅନୁରୋଧ କରିଛନ୍ତି। ଏନେଇ ଶୁଭମ୍‌ ଏବଂ ତାଙ୍କ ସହିତ ଫଶି ରହିଥିବା ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀମାନେ ଏକ ଭିଡଓ ଜାରି କରି ନିଜର ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। ଶୁଭମ୍‌ଙ୍କ ମା’ ଜ୍ୟୋତ୍ସାରାଣୀ ସାହୁ ମଧ୍ୟ ଏନେଇ ତାଙ୍କ ପୁଅ ସହିତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି।

Related posts