ଲକ୍‌ ଡ଼ାଉନର ଦ୍ଵିତୀୟ ଦିନରେ ବାଣପୁର-ବାଲୁଗାଁ ପୋଲିସ ଓ ପ୍ରଶାସନ ଆକ୍ସନ ମୁଡ଼ରେ

Published: Mar 26, 2020, 4:56 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଲକ୍‌ ଡାଉନ୍‌ର ଦ୍ବିତୀୟ ଦିନରେ ବାଣପୁର-ବାଲୁଗାଁରେ ଆଜି ଯାଞ୍ଚକୁ ଆହୁରି କଡାକଡି କରାଯାଇଛି। ଏସ୍‌ଡିପିଓ ସୁରେଶ କୁମାର ଦାସଙ୍କ ନେତୃତ୍ବରେ ବାଲୁଗାଁ ଥାନା ଆଇଆଇସି ରମାକାନ୍ତ ମାହାଲିକ ଓ ତାଙ୍କ ଟିମ୍‌ ବାଲୁଗାଁ ଅଞ୍ଚଳରେ ଲକ୍‌ ଡାଉନ୍‌କୁ ଆହୁରି କଡାକଡି କରିଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା ଲକ୍‌ ଡାଉନ୍‌ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାଲୁଗାଁଠାରେ ସକାଳ ୬.୩୦ଟାରୁ ୯.୩୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଫଳ, ପନିପରିବା ଓ ଗ୍ରୋସରୀ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଲକ୍‌ ଡାଉନ୍‌ ନିୟମକୁ  ସ୍ଥାନୀୟବାସୀ ଅଣଦେଖା କରୁଥିବାର ନଜର ଆସିଥିବାବେଳେ ଆଜି ଏସ୍‌ଡିପିଓ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଲୁଗାଁଠାରେ ୧ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ଉପସ୍ଥିତ ରହି ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଛନ୍ତି।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନର ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଘରେ ରହି କରୋନା ସଂକମଣରୁ ବର୍ତ୍ତିବା ସହିତ ଅନ୍ୟମାନଙ୍କୁ ବର୍ତ୍ତାଇବା ଆମର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ଲୋକମାନେ ଏହାକୁ ପାଳନ କରିବାରେ ଅବହେଳା କରୁଛନ୍ତି। କିନ୍ତୁ ପୋଲିସ୍‌ ପ୍ରଶାସନ ତତ୍ପର ରହିବା ସହିତ କଡା କାର୍ଯ୍ୟାନୁଷ୍ଠାନର କରୁଥିବାର ନଜର ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ତହସିଲଦାର୍‌ ମନ୍ମଥ ବେହେରା, ଆଇଆଇସି ସଞ୍ଜୟ ପଟ୍ଟନାୟକ ଓ ତାଙ୍କ ଟିମ୍‌  ବାଣପୁର, ନାଚୁଣୀ, ଗମ୍ଭାରୀମୁଣ୍ଡା ଅଞ୍ଚଳର ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି। ଏହି ଅବସରରେ ବେଆଇନ ମଦ କାରବାର ଉପରେ ଚଢାଉ ମଧ୍ୟ କରିଛନ୍ତି। ଲକ୍‌ ଡାଉନ୍‌ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ  ବାଣପୁରରେ ସକାଳ ୬ଟାରୁ ସକାଳ ୯ଟା ଏବଂ ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଫଳ, ପନିପରିବା ଓ ଗ୍ରୋସରୀ ବିକ୍ରୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନୁରୂପ ଭାବେ ବାଣପୁର ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ଦିନତମାମ ବିଭିନ୍ନ ୱାର୍ଡ ବୁଲି ଜନସାଧାରଣଙ୍କୁ ସଚେତନ ଓ ଘରୁ ନ ବାହାରିବାପାଇଁ ଅନୁରୋଧ କରିଥିବାର ଦେଖାଯାଇଛି।

Related posts