
ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ଦିଲ୍ଲୀରୁ ଚାଲି ଚାଲି ମୁରୈନ୍ର ବଡଫେରା ଗ୍ରାମକୁ ଯାଉଥିବା ଜଣେ 39 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ଦିଲ୍ଲୀରୁ ଚାଲି ଚାଲି ବଡ଼ଫେରା ଗ୍ରାମକୁ ଆସୁଥିଲେ। ଆଗରାର ସିକନ୍ଧରା ଥାନା ନିକଟରେ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏହି ବ୍ୟକ୍ତିଜଣକ ନିଜର ତିନି ସାଥୀଙ୍କୁ ନେଇ ପାଦରେ ଚାଲି ଚାଲି ବଡଫେରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସନ୍ଧ୍ୟା 6ଟା ସମୟରେ ବ୍ୟକ୍ତି ଜଣକ ନିଜ ଭଉଣୀକୁ ଫୋନ୍ କରି ଫରିଦାବାଦ୍ ନିକଟରେ ପହଞ୍ଚିଥିବାର ସୂଚନା ଦେଇକହିଥିଲେ ଯେ, ସେ ଖୁବ୍ ଶୀଘ୍ର ଘରେ ପହଞ୍ଚିବେ। କିନ୍ତୁ ସକାଳ ସାଢେ ଛ‘ଟା ସମୟରେ ସିକନ୍ଦରା ଥାନା ଅନ୍ତର୍ଗତ ଏକ ସଡକ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଭୋକଉପାସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ସମ୍ପର୍କୀୟମାନେ କହୁଛନ୍ତି। କିନ୍ତୁ ପୋଷ୍ଟମର୍ଟମ୍ରୁ ହୃଦ୍ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଦିଲ୍ଲୀର ଏକ ହୋଟେଲ୍ରେ ଟିଫିନ୍ ଡେଲିଭରୀ କାମ କରୁଥିଲେ । ଲକ୍ ଡାଉନ୍ କାରଣରୁ ହୋଟେଲ୍ ମାଲିକ୍ ତାଙ୍କୁ କାମରୁ ବାହାର କରିଦେଇଥିଲା । କାମ ନଥିବା ହେତୁ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଚାଲି ଚାଲି ଦିଲ୍ଲୀରୁ ମୁରୈନା ଅଭିମୁଖେ ଯାଉଥିଲେ । ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ଶବକୁ ତାଙ୍କ ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । (ଏଜେନ୍ସି)