ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

Published: Mar 30, 2020, 6:10 am IST

ନୂଆଦିଲ୍ଲୀ, ଲକଡାଉନ ସମୟରେ ବାହାର ରାଜ୍ୟରୁ ଆସି ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳୀରେ ରହିବା ଓ ଖାଇବାର ବ୍ୟବସ୍ଥା କର। ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏଥିସହିତ ଯେଉଁ ଘରମାଲିକ ଭଡାଟିଆଙ୍କୁ ବାହାର କରିବାକୁ କହୁଛି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠନ ନିଅ। କ୍ୟାବିନେଟ ସଚିବ ଭିଡିଓ କନଫ୍ରେନସି ଜରିଆରେ ବିଭିନ୍ନ ଅଧିକାରୀଙ୍କ ସହିତ ପରିସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରମିକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଏସଡିଆରଏଫରୁ ଅର୍ଥ ବ୍ୟୟ ଆଦେଶ ଜାରୀ କରିଛନ୍ତି । ଏହି ପାଣ୍ଠିରେ ରାଜ୍ୟ ସରକାରମାନଙ୍କ ମଧ୍ୟ ଯଥେଷ୍ଟ ଅର୍ଥ ମହଜୁଦ ଅଛି। ଲକଡାଉନ କାଳରେ କୌଣସି କାଂଟଛାଂଟ ନକରି ବାହାର ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସେମାନଙ୍କ ଠାରୁ ଘର ଭଡା ଦାବି ନକରିବାକୁ ମଧ୍ୟ କୁହାଯାଇଛି । ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଘର ଖାଲି କରିବାକୁ କହୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟସରକାର ଏଥି ପ୍ରତି ଧ୍ୟାନ ଦେଇ ପଦକ୍ଷେପ ନିଅନ୍ତୁ ବୋଲି କୁହାଯାଇଛି।

ଏହିସବୁ ନିୟମାବଳୀର ଉଲଘଂନ କରି ଯୋଉଁମାନେ ବାହାରକୁ ଯିବା ପାଇଁ ବାହାରିଛନ୍ତି, ସେମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ୧୪ ଦିନ ପାଇଁ କ୍ୱାରେଂଟାଇନରେ ରଖିବା ପାଇଁ କୁହାଯାଇଛି । କ୍ୱାରେଂଟାଇନରେ ରଖିବା ନେଇ ସମସ୍ତ ନିୟମାବଳୀ ରାଜ୍ୟଗୁଡିକୁ ପଠାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ୩ ସପ୍ତାହ ପାଇଁ ଏହି କଟକଣା କଡାକଡି ଭାବେ ଲାଗୁ କରିବାକୁ ସମସ୍ତଙ୍କ ହିତ ଦୃଷ୍ଟିରୁ ରାଜ୍ୟମାନଙ୍କୁ କୁହାଯାଇଛି ।

Related posts