ନୂଆଦିଲ୍ଲୀ :ନିଜାମୁଦ୍ଦିନ ମରକଜ ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ ହାତର ରହିଛି। ଏହି ମାମଲାର ଯାଞ୍ଚ କଲାପରେ ଜଣାପଡିଛି ଯେ ଏହି ମରକଜରେ 67 ଦେଶର 2041 ଜଣ ବିଦେଶୀ ଯୋଗଦେଇଥିଲେ । ଏହି ବିଦେଶୀଙ୍କ ମଧ୍ୟରେ ଚୀନ୍ର 9 ଜଣ ଲୋକେ ରହିଥିଲେ । ତେବେ ଏହି ମରକଜରେ ଅଧିକାଂଶ ଲୋକେ ଇଣ୍ଡୋନେସିଆ, ବାଂଲାଦେଶ ଓ ଥାଇଲାଣ୍ଡର ରହିଥିବାବେଳେ ବିଦେଶୀଙ୍କ ଉପରେ କ୍ରାଇମବ୍ରାଞ୍ଚ ଫୋକସ୍ ରଖିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଧର୍ମୀୟ ସମ୍ମିଳନୀରେ ବାଂଲାଦେଶରୁ 497ଜଣ, ଇଣ୍ଡୋନେସିଆରୁ 553 ଜଣ, ମାଲେସିଆରୁ 118ଜଣ, କର୍ଗିସ୍ତାନରୁ 145 ଜଣ, ମିଆଁମାରରୁ 117ଜଣ, ଥାଇଲାଣ୍ଡରୁ 151ଜଣ, ଚୀନରୁ 9 ଜଣ, ଅନ୍ୟ ସମସ୍ତ ଦେଶରୁ 451 ଜଣ ରହିଥିଲେ । ସେହିପରି ଏହି ଧର୍ମୀୟ ସମ୍ମିଳନୀରେ ଯୋଗଦେଇଥିବା ଭାରତୀୟଙ୍କୁ ମଧ୍ୟ ଖୋଜା ଯାଇ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି ।
କ୍ରାଇମ୍ ବ୍ରାଞ୍ଚ ସୂତ୍ର ଅନୁସାରେ ଏହି ମରକଜରେ ସାମିଲ୍ ରହିଥିବା ବିଦେଶୀମାନେ ଅଧିକାଂଶ ଟୁରିଷ୍ଟ ଭିସାରେ ଆସିଥିଲେ । ତେବେ ଟୁରିଷ୍ଟ ଭିସାରେ ଆସି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ନେଇ ଏବେ ଏକ ପ୍ରଶ୍ନ ଉଠିଛି । ସେହିପରି ଏହି ମାମଲାରେ ମରକଜର ପ୍ରମୁଖ ମୌଲାନା ସାଦଙ୍କ ସମେତ 7 ଜଣ ବିରୋଧରେ ମାମଲା ରୁଜୁ ହୋଇଛି ।
ଏହି ମରକଜକୁ 36 ଘଣ୍ଟା ସମୟ ମଧ୍ୟରେ ଖାଲି କରାଯାଇଥିଲା । ଏହି ମରକଜରୁ ପାଖାପାଖି 2300ରୁ ଅଧିକ ଲୋକେ ବାହାରିଥିଲେ । ସମସ୍ତଙ୍କୁ କ୍ବାରେଣ୍ଟାଇ୍ ସେଣ୍ଟର ପଠାଯିବା ସହିତ କିଛି ଲୋକଙ୍କୁ ହସ୍ପିଟାଲରେ ରଖାଯାଇଛି । (ଏଜେନ୍ସି)