
ନୂଆଦିଲ୍ଲୀ : କରୋନା ମହା ସଂକଟ ସମୟରେ ତୃତୀୟ ଥର ପାଇଁ ଦେଶବାସୀଙ୍କ ପାଇଁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି । ଏହି ସଂକଟ ସମୟରେ ଦେଶବାସୀଙ୍କୁ ସାହସ ଓ ଧେର୍ଯ୍ୟ ଦେଇଛନ୍ତି । ସମସ୍ତ କରୋନା ଯୋଦ୍ଧାକୁ ଧନ୍ୟବାଦ ଦେଇଛନ୍ତି ମୋଦି ।
କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍ 5 ତାରିଖରେ ରାତ୍ରି 9ଟା ସମୟରେ ନ ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖି ଘରେ ଦୀପ, ମହମବତୀ, ମୋବାଇଲ୍ ଫ୍ଲାସ୍ ଲାଇଟ୍ , ଟର୍ଚ୍ଚ ଲାଇଟ୍ ଆଦି ଅନ୍ କରିବାକୁ ଆହ୍ବାନ କରିଛନ୍ତି । ତେବେ ଏହା କରିବା ସମୟରେ ସାମାଜିକ ଦୂରତ୍ବକୁ ଉଲ୍ଲଂଘନ ନ କରିବାକୁ ଉପଦେଶ ଦେଇଛନ୍ତି । ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍କୋନି ସମ୍ମୁଖରେ ଏପରି କରି ସାରା ଦେଶବାସୀ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମେସ୍ତ ଏକାଠି ହୋଇ ଏହା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି।
କରୋନା ଚେନ୍ ଭାଙ୍ଗିବାକୁ ଏହା ଏକ ରାମବାଣ ବୋଲି କହିଛନ୍ତି ମୋଦି । ତେବେ ଏକାଠି ହୋଇ ଗୋଟିଏ ସ୍ଥାନରେ ଏହା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ କରୋନା ବିରୁଦ୍ଧରେ ଆମେ 9 ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖି ଦୀପ, ମହମବତୀ କିମ୍ବା ମୋବାଇଲ୍ ଫ୍ଲାଶ୍ ଲାଇଟ୍ ଜାଳିବାକୁ କହିଛନ୍ତି ମୋଦି । ଏହି ଅବସରରେ 130 କୋଟି ଦେଶବାସୀଙ୍କ ମହାଶକ୍ତି ଜାଗରଣ କରିବାକୁ ଆହ୍ବାନ କରିଛନ୍ତି ।
ଏହି ଅବସରରେ ମୋଦି ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍ ବେଳେ ଭାରତୀୟ ଜନତାଙ୍କ ଅନୁଶାସନ ଓ ସେବାଭାବକୁ ସମ୍ମାନ ଜଣାଇଛନ୍ତି । ଜନତା, ଶାସନ-ପ୍ରଶାସନ ସମେସ୍ତ ସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି ବୋଲି କହିଛନ୍ତି ମୋଦି । କୋଟି କୋଟି ଜନତାଙ୍କ ଶକ୍ତି କରୋନା ସହ ଲଢିବା ପାଇଁ ଆମ ମନୋବଳକୁ ବଢାଇଛି ବୋଲି ମୋଦି କହିଛନ୍ତି । ଦେଶରେ କରାଯାଇଥିବା ଜନତା କର୍ଫ୍ୟୁ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । ସେହିପରି ଲକ୍ ଡାଉନ୍ ସମୟରେ ସମେସ୍ତ ଅନୁଶାସନରେ ରହିଛନ୍ତି ବୋଲି କହିଛନ୍ତି । (ଏଜେନ୍ସି)