ସରକାରୀ ଭତ୍ତାରେ ଜୀବନ ନିର୍ବାହ କରୁଥିବା ବୃଦ୍ଧ ଦମ୍ପତି କରୋନା ପାଇଁ ରିଲିଫ୍‌ ଫଣ୍ଡ୍‌କୁ ଦାନ କରି ଚର୍ଚ୍ଚାରେ

Published: Apr 5, 2020, 7:54 pm IST

ବବୁଲୁ ସାହୁ

କଳାହାଣ୍ଡି : କରୋନା ସହ ସାରା ବିଶ୍ବ ଆଜି ଯୁଦ୍ଧ କରୁଥିବାବେଳେ ଆମ ଦେଶ ଓ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା କରିବା ପାଇଁ ବେଶ୍‌ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଦେଶର ଏପରି ଘଡିସନ୍ଧି ମୁହୂର୍ତ୍ତରେ କରୋନା ସହାୟତା ପାଇଁ ସମେସ୍ତ ହାତ ବଢାଇଛନ୍ତି । ଏହି କ୍ରମରେ ଜଣେ ବୃଦ୍ଧଙ୍କ ସହାୟତା ବେଶ୍‌ ଚର୍ଚ୍ଚାକୁ ଆସିଛି । 65 ବର୍ଷୀୟ ବୃଦ୍ଧଙ୍କ ପାଖରେ ରହିବା ପାଇଁ ପକ୍କା ଘର ନାହିଁ କି ଚାଷ ପାଇଁ ବିଖଣ୍ଡିଏ ଜମି ନାହିଁ । କିନ୍ତୁ ଦେଶର ଏପରି ବିପତ୍ତି ସମୟରେ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି ।

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାତୟର ତେଲିସରାବାହିଲି ଗ୍ରାମର ବୃଦ୍ଧ ବସନ୍ତ କୁମାର  ଓ ତାଙ୍କ ଧର୍ମପତ୍ନୀ ବୁଇକୁମାରଙ୍କ ମହାନତା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ନିଃସନ୍ତାନ ଦମ୍ପତି ଦଦରା ମାଟି କାନ୍ଥ ବଖରାରେ ଜୀବନ ଅତିବାହିତ କରୁଥିବାବେଳେ ଦୁଇ ବେଳା ମୁଠାଏ ଖାଇବାକୁ ବି ଠିକ୍‌ରେ ଯୋଗାଡ କରିପାରନ୍ତି ନାହିଁ । ସରକାରଙ୍କ ତରଫରୁ ମିଳୁଥିବା ସରକାରୀ ଭତ୍ତା ତାଙ୍କର ମୁଖ୍ୟ ଆଶ୍ରା । ଦେଶ ତଥା ରାଜ୍ୟର ଏପରି ଦୁର୍ଦ୍ଦିନରେ ବୃଦ୍ଧ ଦମ୍ପତି ସରକାରଙ୍କ ଆଗୁଆ ମାସିକ ଭତ୍ତାରୁ 1000ଟଙ୍କା ମିଶାଇ 3000ଟଙ୍କା ସରକାରୀ ରିଲିଫ୍‌ ଫାଉଣ୍ଡେସନ୍‌କୁ ଦାନ କରିଛନ୍ତି । ବୃଦ୍ଧ ଜଣକ ରାମକୃଷ୍ଣ ଆଶ୍ରମର ଶିଷ୍ୟ, ସମାଜସେବୀ ତଥା ମିଡିଆ ପ୍ରତିନିଧିଙ୍କ ଜରିଆରେ ସରକାରୀ ରିଲିଫ୍‌ ଫାଉଣ୍ଡେସନ୍‌କୁ ଏହି ଟଙ୍କା ଦାନ କରିଛନ୍ତି।

Related posts