ଲକ ଡାଉନକୁ ନେଇ ଆହୁରି କଠୋର ହେଲା ବାଣପୁର ପୋଲିସ: ତିନି ଘଣ୍ଟାରେ ଜବତ ହେଲା ୨୧ ବାଇକ

Published: Apr 7, 2020, 1:01 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ମହାମାରୀକୁ ଗୁରୁତର ସହ ନେଇ କେନ୍ଦ୍ର ସରକାର ଜାରି କରିଥିବା ୨୧ଦିନିଆ ଲକ ଡାଉନର ନିର୍ଦ୍ଦେଶକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପୁରା ରାଜ୍ୟରେ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲକ ଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ବାଲୁଗାଁ ଅଞ୍ଚଳକୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରିଦର୍ଶନରେ ଆସି ଲକ ଡାଉନର ସ୍ଥିତି ସମୀକ୍ଷା କରିଥିଲେ।

ଏହି ସମୟରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଲକ ଡାଉନ କଟକଣାକୁ ଆହୁରି କଠୋର କରିବା ପାଇଁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ବ୍ୟକ୍ତି ପଦାକୁ ଗାଡ଼ି ନେଇକି ଯାଇପାରିବେନି ଓ ଯଦି ଗାଡ଼ି ନିଅନ୍ତି ତାହାଲେ ତାଙ୍କ ଗାଡ଼ି ଜବତ ହେବା ସହ କୋର୍ଟ ଚାଲାଣ କରାଯିବ। ଜନସାଧାରଣମାନେ ଅତ୍ୟାବଶକ ସାମଗ୍ରୀ ଆଣିବା ପାଇଁ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମୟରେ ଯାନବାହାନ ନ ନେଇ ନିକଟସ୍ଥ ବିକ୍ରୟ କେନ୍ଦ୍ରକୁ ଚାଲି ଚାଲି ଆସିବା ପାଇଁ ପରାମର୍ଶ ଦେଇଥିଲେ ଏହା ସହ ସମସ୍ତ ଜନସାଧାରଣ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ଲଗେଇବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଥିଲେ। ଯଦି ଏଥିରେ ବ୍ୟତିକ୍ରମ ଘଟେ ତାହାଲେ ଜନସାଧାରଣଙ୍କଠୁ ଫାଇନ ଆଦାୟ ହେବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଦୋକାନୀମାନେ ଅତ୍ୟାବଶ୍ୟକୀ ଜିନିଷ ବିକ୍ରୟ କରିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ଓ ଯଦି କୌଣସ ଦୋକାନୀ ଏହାକୁ ଅମାନ୍ୟ କରେ ତାହେଲେ ତାର ଦୋକାନ ସିଜ ହେବା ସହ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।

ଏହି ପରିପେକ୍ଷୀରେ ବାଣପୁର ପୋଲିସ ଆଜି ଲକ ଡାଉନ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଦେଇଛି। ସକାଳ ୬ରୁ ରାତି ୧୦ ଯାଏଁ ପୋଲିସ ତରଫରୁ କଡା ପ୍ରହରା ଦିଆଯାଉଛି ଓ ସହରର ବିଭିନ୍ନ ଛକକୁ ପୋଲିସ ସିଲ କରିବା ସହ ଲକ ଡାଉନକୁ ମାନୁନଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆଜି ବାଣପୁର ପୋଲିସ ଦ୍ୱାରା ସକାଳ ୯ଘଟିକା ସୁଦ୍ଧା ଲକ ଡାଉନ ନିୟମକୁ ଅମାନ୍ୟ କରି ବାଇକରେ ବୁଲୁଥିବା ୨୧ଟି ବାଇକ ଚାଳକଙ୍କ ଗାଡ଼ିକୁ ଜବତ କରାଯାଇଛି ବୋଲି ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ସହ ଥାନାଧିକାରୀ ସମୀକ୍ଷା ନ୍ୟୁଜ ମାଧ୍ୟମରେ ବାଣପୁର ଜନସାଧାରଣଙ୍କୁ ଘରେ ରହିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ମାସ୍କ ଲଗାଇ ଚାଲି ଚାଲି ନିକଟସ୍ଥ ବିକ୍ରୟ କେନ୍ଦ୍ରକୁ ଯିବାକୁ ନିବେଦନ କରିଛନ୍ତି।

ବାଣପୁର ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଜନତା ସମର୍ଥନ କରୁଥିବାସ୍ଥଳେ ଲକ୍‌ଡାଉନ୍‌ ଅମାନ୍ୟ କରୁଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Related posts