ରଞ୍ଜିତ୍ ପଣ୍ଡା
କୁଜଙ୍ଗ: ଦେଶରେ କରୋନାକୁ ମୁକାବିଲା କରିବା ପାଇଁ ଜାରି ରହିଛି ଲକ୍ ଡାଉନ୍। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଦୃଢତାର ସହ ଏହି ମହାମାରୀ ସହ ଲଢେଇ ଜାରି ରଖିଛି। ଲକ୍ ଡାଉନ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ହିତାଧିକାରୀଙ୍କୁ ୩ ମାସର ରାସନ ଆଗୁଆ ଦେବା ସହ ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ଏକ ହଜାର ଟଙ୍କା ଲେଖାଏଁ ସହାୟତା ଦେଉଛନ୍ତି। ଏହି କ୍ରମରେ ରାଜ୍ୟର ସମସ୍ତ ପିଡିଏସ୍ କାର୍ଡଧାରୀଙ୍କୁ ଏକ ହଜାରଟଙ୍କା ଲେଖାଏଁ ସହାୟତା ଦିଆଯାଉଛି। ତେବେ ଏହାକୁ ନେଇ କୁଜଙ୍ଗ ବ୍ଲକ୍ରେ ରାଜନୀତି ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଞ୍ଚାୟତର ସମିତି ସଭ୍ୟା ସରୋଜିନି ବାରିକ୍ ନିଜେ ପିଡିଏସ୍ ଟଙ୍କା ଅର୍ଥାତ୍ ୧୦୦୦ ଟଙ୍କା ନିଜେ ବାଣ୍ଟୁଥିବାର ନଜୀର ଆସିଛି। ସାଧାରଣତଃ ଏହି ଟଙ୍କାକୁ ସେଠିକାର ପିଡିଏସ ଡିଲର୍ ବାଣ୍ଟିବାକୁ ନିୟମ ଥିବାବେଳେ ସମିତି ସଭ୍ୟା ନିଜର ତଥା ଦଳର ପ୍ରଚାର ପ୍ରସାର ପାଇଁ ଏପରି କରୁଥିବାର ଅଭିଯୋଗ ହେଉଛି। ସମିତି ସଭ୍ୟା ଜଣକ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣିଛନ୍ତି ଗରେଇ ଗ୍ରାମର ସରପଞ୍ଚ ସଂଗ୍ରାମ ମନ୍ତ୍ରୀ।
ରାଜ୍ୟରେ ପଡିଥିବା ବିପଦ ସମୟରେ ଲୋକଙ୍କ ସମ୍ମୁଖରେ ଠିଆ ହେବା ଆଜିର ସମୟରେ ଏକ ବଡ ଆବଶ୍ୟକତା ହେଉଥିବାବେଳେ ସମିତି ସଭ୍ୟାଙ୍କର ଏପରି ହୀନ ରାଜନୀତି ଏହି ଅଞ୍ଚଳରେ ଏବେ ସରଗରମ ପାଲଟିଛି। ତେବେ ଏହି ଘଟଣାକୁ ନେଇ କୁଜଙ୍ଗ ବ୍ଲକ୍ର ଭାରପ୍ରାପ୍ତ ବିଡିଓ ଡ. ପୂଜା ଲେଙ୍କାକୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଯଦି ଘଟଣାଟି ସତ୍ୟ ହୋଇଥାଏ ତେବେ ଯୋଗାଣ ବିଭାଗ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ କରିବେ ବୋଲି ବିଡିଓ ସୂଚନା ଦେଇଛନ୍ତି।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କରୋନା ସହ ଲଢେଇ ପାଇଁ ସତର୍କ ଓ ସାମାଜିକ ଦୂରତ୍ବ ଏକମାତ୍ର ବାଟ ହୋଇଥିବାବେଳେ ସମିତି ସଭ୍ୟା ଜଣକ ନିଜେ ଯାଇ ଲୋକଙ୍କୁ ଟଙ୍କା ବାଣ୍ଟିବା କେତେଦୂର ସମୀଚୀନ ହୋଇଛି। ଲୋକଙ୍କ ସାହାଯ୍ୟ କରିବା ନାଁରେ ସରକାରୀ ଟଙ୍କାରେ ସମିତି ସଭ୍ୟା ଜଣକ ନିଜର ପ୍ରଚାର ପ୍ରସାରକୁ ସାଧାରଣରେ ନିନ୍ଦା କରାଯାଇଛି।