
ଭୁବନେଶ୍ବର, ଭୁବନେଶ୍ବରରେ ଥିବା ପ୍ରମୁଖ କୋଭିଡ ପରୀକ୍ଷା କେନ୍ଦ୍ର ଆରଏମଆରସି ର କ୍ଷମତା ବୃଦ୍ଧି କରାଯାଇଛି। ସେଥିପାଇଁ ମୁମ୍ବାଇରୁ ଏକ ଅତ୍ୟାଧୁନିକ ପରୀକ୍ଷା ମେସିନ ସ୍ବତନ୍ତ୍ର ବିମାନରେ ଅଣାଯାଇ ସ୍ଥାପନ କରାଯାଇଛି। ଫଳରେ ଏଣିକି ଏହି କେନ୍ଦ୍ରରେ ଦୈନିକ ଏକ ହଜାର କୋଭିଡ19 ନମୂନା ପରୀକ୍ଷା କରାଯାଇ ପାରିବ। ପୂର୍ବରୁ ଏହି କେନ୍ଦ୍ରରେ ଦୈନିକ ମାତ୍ର 3 ଶହ ପରୀକ୍ଷା କରିବାର କ୍ଷମତା ଥିଲା। ହେଲେ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଏହି କ୍ଷମତା ବର୍ତ୍ତମାନ ବୃଦ୍ଧି କରାଯାଇ ପାରିଛି।
ବର୍ତ୍ତମାନ ଲକଡାଉନ ସମୟରେ ବାହାର ରାଜ୍ୟରୁ ଏପରି ବଡ ମେସିନ ଆଣିବା ଏବଂ ତାହାକୁ ସ୍ଥାପନ କରିବା ଭାରି କଷ୍ଟ ଦାୟକ ଥିଲା। ବହୁ କଷ୍ଟରେ ଏହି ମେସିନ ବିମାନରେ ଆସିବା ପରେ ତାହା ସ୍ଥାପନ କରିବା ପାଇଁ ମଧ୍ୟ ସମସ୍ୟା ଦେଖା ଦେଇଥିଲା। କାରଣ ଏହି ମେସିନ ଯେଉଁ ସ୍ଥାନରେ ବସିବ ତାହା ସଂପୂର୍ଣ୍ଣ ଜୀବାଣୁ ନିରୋଧ ନିବୁଜ ଚ୍ୟାମ୍ବରର ହେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପରିସ୍ଥିତି ଏହି କାମ କରିବା ସିଭିଲ ଇଂଜିନିୟରଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ମିଳିବା ସହଜ ନ ଥିଲା। ହେଲେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ତାହା ସହଜରେ ନିର୍ମାଣ ହୋଇପାରିଛି।