ଦେଶରେ ଏପର୍ଯ୍ୟନ୍ତ 1 ଲକ୍ଷ 86 ହଜାର  କରୋନା ପରୀକ୍ଷା କରାଯାଇଛି, କେବଳ 20% ରୋଗୀ ଗୁରୁତର : କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

Published: Apr 12, 2020, 5:26 pm IST

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ବୈଠକରେ ଭାରତରେ କରୋନା ସ୍ଥିତି ଓ ଏହାକୁ ରୋକିବା ନେଇ କିପରି ପ୍ରସ୍ତୁତି ଚାଲିଛି ସେ ସମ୍ପର୍କରେ କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ଦେଶରେ ଏପର୍ଯ୍ୟନ୍ତ 20ପ୍ରତିଶତ ରୋଗୀ ଗୁରୁତର ରହିଛନ୍ତି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 86 ହଜାର କରୋନା ପରୀକ୍ଷା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ । ପ୍ରତ୍ୟହ 15 ହଜାର ସାମ୍ପଲ୍‌ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ଏଯାବତ୍‌ 1 ଲକ୍ଷ 86 ହଜାର 906 ସାମ୍ପଲ୍‌ ପରୀକ୍ଷା ହୋଇଛି । 219ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି । ସେହିପରି କରୋନା ଅପଡେଟ୍‌ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରସ୍ବାସ୍ଥ୍ୟ ବିଭାଗ କହିଛି ଯେ, 24 ଘଣ୍ଟାରେ 34 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 909 ଜଣ ଆକ୍ରାନ୍ତ ହୋଇଛନ୍ତି ।  ସେହିପରି ଡିସ୍‌ଚାର୍ଜ ହୋଇଛନ୍ତି 716 ଜଣ । ଭାରତରେ ଏବେ ସୁଦ୍ଧା 7,367ଟି ଆକ୍ଟିଭ୍‌ କେଶ୍‌ ରହିଛି । ସେହିପରି ପରୀକ୍ଷା ହୋଇଥିବା ସମସ୍ତ ନମୁନାର 4.3% ପଜିଟିଭ୍‌ ରହିଛି । ଦେଶରେ ଆଇସିୟୁ ବ୍ୟବସ୍ଥା ସହ 20% ଆକ୍ରାନ୍ତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । 80% ସାମାନ୍ୟ ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସାଧୀନ ରହିଛନ୍ତି । ଆଜି ସୁଦ୍ଧା 1671 ବେଡ୍‌ ଆବଶ୍ୟକ ଥିବାବେଳେ 1ଲକ୍ଷ 5 ହଜାର ବେଡ୍‌ ରହିଛି । 20 ହଜାର ରେଲଓ୍ବେ କୋଚ୍‌ ଡେଡିକେଟେଡ୍‌ କୋଭିଡ୍‌ -19 ଓ୍ବାର୍ଡ ହେବ । ସମସ୍ତ ପ୍ରକାର ସମ୍ଭାବ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ ।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ମଧ୍ୟ କୌଣସି ବାଧା ନାହିଁ ବୋଲି କହିଛନ୍ତି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟା ଶ୍ରୀବାସ୍ତବ । ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନାହିଁ । ଅତ୍ୟାବଶ୍ୟକ ସେବା ପାଇଁ 3ଟି ମନ୍ତ୍ରାଳୟ ମିଳିତ ଭାବେ ସେବାରେ ଲାଗିଛନ୍ତି । ବେସାମରିକ ବିମାନ ଚଳାଚଳ, ଖାଉଟି ଯୋଗାଣ ଓ ରେଲଓ୍ବେ ମନ୍ତ୍ରାଳୟ ପ୍ରମୁଖ ଅତ୍ୟାବଶ୍ୟକ ସେବା ପାଇଁ ଲାଗିପଡଛନ୍ତି । କରୋନା ସଂକଟ ସମୟରେ ସାଇବର ଅପରାଧ ରୋକିବା ଦିଗରେ ମଧ୍ୟ ମନ୍ତ୍ରାଳୟ କାର୍ଯ୍ୟ କରୁଛି ବୋଲି ଗୃହମନ୍ତ୍ରାଳୟର ସଚିବ କହିଛନ୍ତି । (ଏଜେନ୍ସି)

Related posts