ବାଣପୁରରେ ରହିଥିବା 50 ନଂ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ ଏବେ କ୍ବାରେଣ୍ଟାଇନ୍‌ରେ

Published: Apr 13, 2020, 8:56 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସେଥିମଧ୍ୟରୁ 13 ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସୂଚନା ଜାରି କରିବା ସହିତ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରି କରୋନା ପରୀକ୍ଷା କରୁଛନ୍ତି। କରୋନାକୁ ରୋକିବା ଦିଗରେ ରାଜ୍ୟ ସରକାର ବେଶ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା 50 ନମ୍ବର କରୋନା ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ । ବାଣପୁରରେ ଏହି ଆକ୍ରାନ୍ତଙ୍କ ଲିଙ୍କ୍‌ ଥିବାର ସୂଚନା ମିଳିବା ପରେ ସେଠାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାଣପୁରରେ ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା 15 ଜଣ ସନ୍ଦିଗ୍ଧଙ୍କୁ ସ୍ବାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ପୂର୍ବରୁ ସ୍ବାବ ସଂଗ୍ରହ  ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀରେ ହେଉଥିବାବେଳେ ଏହି ଆକ୍ରାନ୍ତଙ୍କ ଲିଙ୍କ୍‌ ଜଣାପଡିବା ପରେ ବାଣପୁରର ଏକ ଟିଏମ୍‌ସିରେ ନୂତନ କରି ସ୍ବାବ୍‌ ସଂଗ୍ରହ କେନ୍ଦ୍ର ଖୋଲା ଯାଇଛି ।

ମିଳିଥିବା ସୂଚନା ଅନୁସାରେ ବାଣପୁରର ବଡହନ୍ତୁଆଡରେ 50ନଂ କରୋନା ଆକ୍ରାନ୍ତ ତିନି ଦିନ ରହିଥିଲେ । ଏହି ସୂଚନା ମିଳିବା ପରେ ଆକ୍ରାନ୍ତ ଜଣକ ରହିଥିବା ସମ୍ପର୍କୀୟଙ୍କ ସମସ୍ତ ପରିବାର ସଦସ୍ୟଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବା ସହ ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରାଖଯାଇଛି । ସେହିପରି ଆଜି ସଂଗ୍ରହ କରାଯାଇଥିବା ସ୍ବାବ୍‌ ନମୁନାର ରେଜଲ୍ଟ ଆସନ୍ତା କାଲି ଆସିବ ବୋଲି ଜଣାପଡିଛି ।

Related posts