
ନୂଆଦିଲ୍ଲୀ : କରୋନା ସଂକଟ ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଆଜି ଆରବିଆଇ ରେପୋ ରେଟ୍କୁ ହ୍ରାସ କରିଛନ୍ତି। 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ 4%ରୁ ହ୍ରାସ ପାଇ 3.75%ରେ ପହଞ୍ଚିଛି। ଏହି ରେପୋ ରେଟ୍ ହ୍ରାସ ପରେ ବ୍ୟାଙ୍କଗୁଡିକ ଫାଇଦା ମିଳିବ।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ କରୋନା ଯୋଦ୍ଧାକୁ ପ୍ରଶଂସା କରିବା ସହିତ କରୋନା ସହ ଲଢେଇ ପାଇଁ ପୂରା ଚେଷ୍ଟା ଚାଲିଛି ବୋଲି କହିଛନ୍ତି । ବିଶ୍ବରେ ବଡ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା କରିଛନ୍ତି ଆରବିଆଇ ଗଭର୍ଣ୍ଣର। ବିଶ୍ବରେ 9 ଟ୍ରିଲିୟନ୍ ଡଲାର କ୍ଷତି ହେବାର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ତେବେ ବାକି ଦେଶ ଅପେକ୍ଷା ଭାରତର ଆର୍ଥିକ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି। ଜି-20 ଦେଶମାନଙ୍କ ଭିତରେ ଭାରତର ଅବସ୍ଥା ଭଲ ରହିଛି। ଆଇଏମ୍ଏଫ୍ର ଆକଳନ ଅନୁସାରେ ଭାରତର ଅଭିବୃଦ୍ଧି ହାର 1.9%କୁ ଖସିଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । 2020 ମାର୍ଚ୍ଚରୁ ଅଟୋମୋବାଇଲ୍ ବ୍ୟବସାୟରେ ବିରାଟ ହ୍ରାସ ହୋଇଥିବାବେଳେ ବିଶ୍ବରେ ଅଶୋଧିତ ତୈଳ ଦର ମଧ୍ୟ ଲଗାତାର ଭାବେ ହ୍ରାସ ପାଉଛି । ଦେଶର 91 ପ୍ରତିଶତ ଏଟିଏମ୍ ଏବେ ସଚଳ ରହିଛି । ଦେଶର ବିଦେଶୀ ମୁଦ୍ରା ପାଣ୍ଠି ୪୭୬ ଅରବ ଡଲାର ରହିଥିବାର ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ।
କୋଭିଡ-19 ଯୋଗୁଁ ଦେଶର ଛୋଟ ଓ ମଧ୍ୟମ ଆକାରର କର୍ପୋରେଟକୁ ନଗଦ ସମସ୍ୟା ଦେଖାଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ଟିଏଲଟିଆରଓ 2.0ର ଘୋଷଣା କରିଛନ୍ତି। ଏହି ଆଧାରରେ ଏନ୍ଏଚ୍ବି, ନାବାର୍ଡ, ସିଡ୍ବିକୁ ମୋଟ 50 ହଜାର କୋଟିର ଆର୍ଥିକ ସହାୟତା । ସେହିପରି ଏମ୍ଏଫ୍ଆଇ, ଏନ୍ବିଏଫ୍ସି ପାଇଁ 50 ହଜାର କୋଟିର ସହାୟତା ଘୋଷଣା କରାଯାଇଛି । ନାବାର୍ଡକୁ ୨୫ ହଜାର କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ।