ନାଚୁଣୀରେ କରୋନା ଯୋଦ୍ଧାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା : ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ପରିବେଶ

Published: Apr 20, 2020, 2:17 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନିରନ୍ତର ନିଜର ଦାୟିତ୍ବ ନିର୍ବାହନ କରୁଥିବା ଡାକ୍ତର ଏବଂ ପୋଲିସ ସାଧାରଣ ଜନତାଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଏପରି ଏକ ଘଟଣାର ନିଦର୍ଶନ ଦେଖିବାକୁ ମିଳିଛି ବାଣପୁର ବ୍ଲକ୍‌ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତର ଗୋରଡାଝରି ଗ୍ରାମରେ। ଗ୍ରାମର ଜନସାଧାରଣ କରୋନା ଯୋଦ୍ଧା (ପୋଲିସ୍‌)କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ହରିବୋଲ ହୁଳହୁଳି ପକାଇଥିଲେ।

ଏସ୍‌ ଆଇ ଉମାକାନ୍ତ ସାହୁ, ଏଏସ୍‌ଆଇ ହାଡୁବନ୍ଧୁ ନାୟକ ଏବଂ କନେଷ୍ଟବଳ ହରମୋହନ ରେଡ୍ଡୀ ଗ୍ରାମକୁ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ଆସିଥିବା ବେଳେ ଗ୍ରାମବାସୀ ପୋଲିସ୍‌ ଉପରକୁ ଫୁଲ ବର୍ଷା କରିଥିଲେ। ଏହା ସହିତ ହରିବୋଲ ହୁଳହୁଳି ମାଧ୍ୟମରେ ତିନି ପୋଲିସ କର୍ମୀଙ୍କୁ ସ୍ବାଗତ କରିଥିଲେ। ଗ୍ରାମବାସୀଙ୍କ ଏହି ସ୍ବାଗତ ସମ୍ବର୍ଦ୍ଧନା ଗ୍ରାମରେ ଆଧ୍ୟାତ୍ମିକ ପରିବେଶର ମାହୋଲ ସୃଷ୍ଟି କରିଥିଲା। ଗୋରଡାଝରି ଗ୍ରାମର ରବୀନ୍ଦ୍ର ପ୍ରଧାନ, ସୁଦର୍ଶନ ପ୍ରଧାନ, ଅର୍ଜୁନ ପ୍ରଧାନ, ସତ୍ୟ ପ୍ରଧାନ, ନିରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଗ୍ରାମର ସମସ୍ତ ମହିଳା ସୋସିଆଲ ଡିଷ୍ଟାନ୍ସିଂ ନିୟମ ମାନି ପୋଲିସ୍‌ କର୍ମୀଙ୍କୁ ସ୍ବାଗତ କରିଥିଲେ। ଗୋରଡାଝରି ଗ୍ରାମରେ ପୋଲିସ୍‌କୁ ଏପରି ଅନନ୍ୟ ଉପାୟରେ ସମ୍ମାନ ପ୍ରଦର୍ଶନକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।

ଭିଡିଓ ଦେଖିବା ପାଇଁ କ୍ଳିକ୍‌ କରନ୍ତୁ :

Related posts