ପୁରୀ : ଶ୍ରୀମନ୍ଦିର ପରିସରରେ ହେବ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି। ସେହିପରି ଚନ୍ଦନ ଯାତ୍ରାର ସବୁ ରୀତିନୀତି ମଧ୍ୟ ମନ୍ଦିର ପରିସରରେ ହେବ। ଏନେଇ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିର ମେଘନାଦ ପାଚେରୀ ଭିତରେ ହିଁ ହେବ ନୀତିକାନ୍ତି। ଶ୍ରୀଜୀଉଙ୍କ ବିଧି ରକ୍ଷା ହେଉ ବୋଲି କହିଲେ ଶଙ୍କରାଚାର୍ଯ୍ୟ। ଶଙ୍କରାଚାର୍ଯ୍ୟଙ୍କ ସହ ପରାମର୍ଶ ପରେ ସୂଚନା ଦେଲେ ଗଜପତି। ଶ୍ରୀମନ୍ଦିରର କେଉଁଠି, କିପରି ନୀତି ହେବ କାଲି ସକାଳେ ଆଲୋଚନା କରାଯିବ।
ସରକାରଙ୍କ କୋଭିଡ୍ -19 ଗାଇଡ୍ ଲାଇନ୍ ମାନି ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଜପତି ମହାରାଜା। ଲକ୍ ଡାଉନ୍ ନିୟମ ମାନି କିପରି ରଥଯାତ୍ରା ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯିବ। ରଥଯାତ୍ରା ପାଇଁ ସରକାରଙ୍କୁ ନିବେଦନ କରିବେ ବୋଲି କହିଛନ୍ତି ପୁରୀ ମହାରାଜା। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ। ଆମେ ଚାହୁଁ ରଥ ଗଢା ହେଉ, ରଥଯାତ୍ରା ହେଉ ବୋଲି କହିଛନ୍ତି ଗଜପତି ମହାରାଜା। ମେ ତିନି ଯାଏଁ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ସବୁ ନୀତିକାନ୍ତି ହେବ ବୋଲି କହିଛନ୍ତି ଗଜପତି ମହାରାଜା।