ସୀତାରାମ ଅଗ୍ରଓ୍ବାଲ
ଚିଲିକା: ଚିଲିକା ଷ୍ଟେସନ ପାଖ ଏନ୍ଏଚ୍ରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାତ୍ରି ୨ଟା ସମୟରେ ଓଆର ୦୯ ଏନ ୫୮୨୮ ନମ୍ବରର ଆଇରନ ବୋଝେଇ ଟ୍ରକ କେନ୍ଦୁଝରରୁ ଗୋପାଳପୁର ପୋର୍ଟ ଅଭିମୁଖେ ଯାଉଥିବା ସମୟରେ ଚିଲିକା ଷ୍ଟେସନ ପାଖ ରାଜରାସ୍ତା ଉପରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛଆଡ଼ୁ ଧକା ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ ପହଂଚି ଗାଡି ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗାଡ଼ି ଚାଳକ କ୍ୟାବିନ ଭିତରେ ଚାପି ହୋଇ ରହିଥିବା ଦେଖିଥିଲେ। ସେ ତୁରନ୍ତ ବାଲୁଗାଁ ଅଗ୍ନିଶମ ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ଜେନାକୁ ଯୋଗାଯୋଗ କରିଥିଲେ।
ଅଗ୍ନିଶମ ଅଧିକାରୀ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି କ୍ୟାବିନକୁ ଯନ୍ତ୍ରପାତି ଦ୍ୱାରା କାଟିକରି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡ୍ରାଇଭରର ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ସହ ଡାହାଣ ଗୋଡ଼ଟି ଗୁରୁତର ଫ୍ୟାକଚର ହୋଇଯାଇଛି, ଏବଂ ବାମ ଗୋଡ଼ ଓ ହାତ ଫ୍ୟାକଚର ହୋଇଯାଇଛି। ପ୍ରାଥମିକ ଚିକିତ୍ସା କରି ତାଙ୍କୁ ଗୁରୁତର ଭାବରେ ରାତି ୪ଟା ସମୟରେ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରାକେଶ ପଣ୍ଡା ସୂଚନା ଦେଇଛନ୍ତି । ଗୁରୁତର ହୋଇଥିବା ଡ୍ରାଭଇରଙ୍କ ନାମ ମନୋଜ କୁମାର ମାଢି । ୩୫ ବର୍ଷୀୟ ଏହି ଯୁବକଙ୍କର ଘର କେନ୍ଦୁଝରର ମର୍ଚିପଡା ଗ୍ରାମରେ। ନାଭାଲ ଫାଣ୍ଡି ଅଧିକାରୀ ଓ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଘଟଣାର ତଦନ୍ତ କରୁଛନ୍ତି।