ବସ୍‌ରେ ଆସିପାରିବେ ଫସିଥିବା ଲୋକେ, ସର୍ତ୍ତମୂଳକ ଅନୁମତି ସହ ଗାଇଡ ଲାଇନ ଜାରି କଲା କେନ୍ଦ୍ର

Published: Apr 29, 2020, 9:59 pm IST

ନୂଆଦିଲ୍ଲୀ : ଲକ୍‌ ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଲୋକେ ଫସି ରହିଛନ୍ତି । ସେଠାରୁ ନିଜ ରାଜ୍ୟକୁ ଫେରିବା ପାଇଁ ଅନେକ ଲୋକ ଲୁଚିଛପି ଆସୁଥିବାବେଳେ କେହି କେହି ସରକାରଙ୍କ ନିକଟରେ ଅନୁରୋଧ ମଧ୍ୟ କରୁଛନ୍ତି । ବିଭିନ୍ନ ରାଜ୍ୟମାନେ ଫସି ରହିଥିବା ଲୋକମାନଙ୍କ ପାଇଁ  ବସ୍‌ ସୁବିଧା କରାଉଛନ୍ତି । ତେବେ ଲକ୍‌ ଡାଉନ୍‌ ଯୋଗୁଁ ଫସିଥିବା ଲୋକଙ୍କୁ ଫେରିବାକୁ ଅନୁମତି ଦେଇଛି କେନ୍ଦ୍ର।

ଶ୍ରମିକ, ତୀର୍ଥଯାତ୍ରୀ, ବିଦ୍ୟାର୍ଥୀଙ୍କୁ ଫେରିବାକୁ ଅନୁମତି ଦେଲା କେନ୍ଦ୍ର। ଏ ସମ୍ପର୍କରେ ସାନି ବିଜ୍ଞପ୍ତି ପ୍ରକାଶ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସର୍ତ୍ତମୂଳକ ଅନୁମତି ସହ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। ଫସିଥିବା ଲୋକଙ୍କ ପାଇଁ ରାଜ୍ୟମାନେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ। ଉଭୟ ରାଜ୍ୟର ନୋଡାଲ ଅଧିକାରୀଙ୍କ ସମନ୍ବୟରେ ଲୋକମାନେ ଯିବେ। ଗୋଷ୍ଠୀଗତ ଭାବେ ଲୋକେ ଯିବାକୁ ଚାହିଁଲେ, ଉଭୟ ରାଜ୍ୟ ଏହି ପ୍ରସଙ୍ଗରେ କଥା ହେବେ। ପାରସ୍ପରିକ ସମନ୍ବୟ ରଖି ବସ୍‌ ଜରିଆରେ ଲୋକମାନଙ୍କୁ ନେଇପାରିବେ। ଇଚ୍ଛୁକ ଲୋକଙ୍କୁ ପ୍ରଥମେ ସ୍କ୍ରିନିଂ କରାଯିବ, ଲକ୍ଷଣ ନଥିଲେ ଯାଇପାରିବେ। ଯିବାକୁ ଥିବା ବସ୍‌ ସାନିଟାଇଜ୍‌ ହେବ,  ବସ୍‌ ଭିତରେ ସାମାଜିକ ଦୂରତ୍ବ ରହିବ। ନିଜ ରାଜ୍ୟରେ ପହଞ୍ଚିଲା ପରେ ସମ୍ପୃକ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ସମ୍ପୃକ୍ତ ଲୋକଙ୍କୁ ହୋମ୍‌ କିମ୍ବା ସରକାରୀ କ୍ବାରେଣ୍ଟିନ୍‌ରେ ରଖାଯିବ। (ଏଜେନ୍ସି)

Related posts