ଲକ୍‌ଡାଉନ୍‌ ସମୟରେ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଘରୁ ବାହାରକୁ ଆସିଥିଲେ କିନ୍ତୁ କନ୍ୟା ନେଇ ଫେରିଲେ ଯୁବକ

Published: Apr 30, 2020, 9:25 am IST

ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲକ୍‌ ଡାଉନ୍‌ ସମୟରେ ଜଣେ ଯୁବକ ପରିବା ଓ ରାସନ ଆଣିବା ପାଇଁ ଘରୁ ବାହାରିଥିଲେ । କିନ୍ତୁ ଫେରିଲା ବେଳକୁ ସାଥୀରେ କନ୍ୟା ନେଇକି ଆସିଲେ । ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାହିବାବାଦରେ ଘଟିଛି । ଲକ୍ ଡାଉନ୍‌ ସମୟରେ ଘରେ ଅଚାନକ ବୋହୂ (କନ୍ୟା) ପହଞ୍ଚିବା ପରେ ଯୁବକଙ୍କ ମା’ ଏହାକୁ ଦୃଢ ବିରୋଧ କରିଛନ୍ତି । ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡକୁ ବିବାହ କରି ଘରକୁ ନେଇଆସିଛି । କିନ୍ତୁ ଯୁବକଙ୍କ ମା’ ଏହାକୁ ବିରୋଧ କରି ଘରେ ପ୍ରବେଶ କରେଇ ଦେଇନାହାନ୍ତି । ପରିଶେଷରେ ଏହି ଘଟଣା ଥାନାରେ ପହଞ୍ଚିଥିଲା ।

ବୋହୂ ବେଶରେ ଜଣେ ଯୁବତୀ ଓ ତାଙ୍କ ସହିତ ଯୁବକ ଥାନାରେ ପହଞ୍ଚିଥିଲେ । ସେଠାରେ ଯୁବକର ମା’ ପହଞ୍ଚି ଯୁବକଙ୍କୁ ଘର ବାହାରେ ରହିବାକୁ ସଫା ସଫା କହିଛନ୍ତି । ଯୁବକଙ୍କ ମା’ କହିଛନ୍ତି ଯେ, ତାଙ୍କ ପୁଅ ପରିବା ଓ ରାସନ ଆଣିବା ପାଇଁ ଘରୁ ବାହାରକୁ ଯାଇଥିଲେ । କିନ୍ତୁ ଖାଦ୍ୟ ସାମଗ୍ରୀ ବଦଳରେ ଝିଅ ଆଣିଛନ୍ତି । ସେ ଲକ୍‌ ଡାଉନ୍‌ ନିୟମ ଭଙ୍ଗ କରିଛନ୍ତି । ତେଣୁ ସେ ତାଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେବ ନାହିଁ । ସେହିପରି ଦୁହଁଙ୍କର ବିବାହ ହୋଇଛି ବୋଲି କୌଣସି ପ୍ରମାଣ ନାହିଁ । କିନ୍ତୁ ଯୁବକ ଜଣକ କହିଛନ୍ତି ଯେ ସେ ମନ୍ଦିରରେ ବିବାହ କରିଛନ୍ତି । ଲକ୍‌ ଡାଉନ୍‌ ଭିତରେ ଯୁବକ ଜଣକ ତାଙ୍କ ଘରକୁ ପ୍ରବେଶ କରିପାରିବେ ନାହିଁ ବୋଲି ମା’ କହିବା ପରେ ଯୁବକ ଜଣକ ଯୁବତୀଙ୍କୁ ନେଇ ଅଲଗା ଜାଗାରେ ରହିଛନ୍ତି । (ଏଜେନ୍ସି)

Related posts